ଜାନୁୟାରୀ ୨୨ରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ, ରାମନବମୀରେ ବିଗ୍ରହଙ୍କ ଉପରେ ପଡ଼ିବ ସୂର୍ଯ୍ୟ କିରଣ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ। ଆସନ୍ତା ଜାନୁୟାରୀ ୨୨ରେ ଶ୍ରୀରାମ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ହେବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି । ଜାନୁୟାରୀ ୨୦ ଓ ୨୪ ମଧ୍ୟରେ ଯେକୌଣସି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଛନ୍ତି ମିଶ୍ରା ।

ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟ ସଚିବ ଥିବା ମିଶ୍ରା ପ୍ରକାଶ କରିଛନ୍ତି ଯେ ମନ୍ଦିରରେ ଏପରି ବ୍ୟବସ୍ଥା କରାଯାଉଛି‌ ଯେପରି ପ୍ରତିବର୍ଷ ରାମ ନବମୀ ଦିନ ମଧ୍ୟାହ୍ନ ୧୨ ଟାରେ ସୂର୍ଯ୍ୟ କିରଣ ଶ୍ରୀରାମଙ୍କ ବିଗ୍ରହ ଉପରେ ପଡ଼ିବ ।

ଏହା ସହିତ ସେ କହିଛନ୍ତି ଯେ ଗର୍ଭଗୃହରେ ଦୁଇଟି ମୂର୍ତ୍ତି ରହିବ – ଗୋଟିଏ ଚଳ ଏବଂ ଅନ୍ୟଟି ଅଚଳ… ଶ୍ରୀ ରାମଙ୍କ ବାଲ୍ୟାବସ୍ଥା ଏବଂ ଅନ୍ୟଟି ରାମଲଲା।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ ନୃପେନ୍ଦ୍ର ମିଶ୍ରା କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରାୟ ୧୦ ହଜାର ଅତି ବିଶିଷ୍ଟ ବ୍ୟକ୍ତି ଯୋଗଦେବେ, ଯେଉଁଥିରେ ରାମ ମନ୍ଦିର ନିର୍ମାଣ ଆନ୍ଦୋଳନ ସହ ଜଡ଼ିତ ସାଧୁସନ୍ଥଙ୍କ ସହ ସାଧାରଣ ଲୋକ, ବିଦେଶ ଓ ବିଶେଷକରି ଉତ୍ତର ପ୍ରଦେଶର ଜଣାଶୁଣା ବ୍ୟକ୍ତି ସାମିଲ ହେବେ ।

ସେ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା ପରେ ପ୍ରତିଦିନ ପ୍ରାୟ ୧.୨୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ହେଉଥିବା ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ରାଜନୈତିକ ପ୍ରଭାବ ପକାଇବା ସମ୍ଭାବନାକୁ ସେ ଏଡ଼ାଇ ଦେଇନାହାଁନ୍ତି।

ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ସପକ୍ଷରେ ରାୟ ଦେବାବେଳେ ତିନିମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ୫ ଫେବୃଆରୀ ୨୦୨୦ରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଘୋଷଣା କରିଥିଲେ । ଟ୍ରଷ୍ଟର ସଦସ୍ୟ ହେବା ବ୍ୟତୀତ ମିଶ୍ରା ମନ୍ଦିର ନିର୍ମାଣ କମିଟିର ସଭାପତି ମଧ୍ୟ ଅଛନ୍ତି।

Comments are closed.