ନୟନତାରାଙ୍କ ଫିଲ୍ମ ‘ଅନ୍ନପୂର୍ଣ୍ଣି’କୁ ନେଇ ବିବାଦ, ଧାର୍ମିକ ଭାବନାକୁ ଆଘାତ ଅଭିଯୋଗରେ ମାମଲା ରୁଜୁ; ନେଟଫ୍ଲିକ୍ସରୁ ବି ହଟିଲା

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଅଭିନେତ୍ରୀ ନୟନତାରାଙ୍କ ଫିଲ୍ମ ‘ଅନ୍ନପୂର୍ଣ୍ଣି’କୁ ନେଇ ବିବାଦ ଉଠିଛି । ଏହି ଫିଲ୍ମକୁ ନେଇ ଦୁଇ ଦକ୍ଷିଣପନ୍ଥୀ ସଂଗଠନ ଅଭିନେତ୍ରୀ ନୟନତାରା ଏବଂ ଫିଲ୍ମ ସହ ଜଡ଼ିତ ଅନ୍ୟମାନଙ୍କ ବିରୋଧରେ ଏତଲା ଦେଇଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣି’ର କିଛି ଦୃଶ୍ୟ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି ।

ଫିଲ୍ମକୁ ନେଇ ବିବାଦ ପରେ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରୁ ମଧ୍ୟ ଏହାକୁ ହଟାଇ ଦିଆଯାଇଛି । ତେବେ ଫିଲ୍ମ ହଟାଇବା ନେଇ ନେଟଫ୍ଲିକ୍ସ ତରଫରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ପୋଲିସ କହିଛି, ‘ଅନ୍ନପୂର୍ଣ୍ଣି’ ବିରୋଧରେ ଅଭିଯୋଗରେ ଦର୍ଶାଯାଇଛି ଯେ ଏହି ଚଳଚ୍ଚିତ୍ରରେ ପ୍ରଭୁ ରାମଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ରହିଛି ଓ ‘ଲଭ୍ ଜିହାଦ’କୁ ପ୍ରୋତ୍ସାହିତ କରାଯାଇଛି ।

‘ଅନ୍ନପୂର୍ଣ୍ଣି’ ନିକଟରେ ଓଟିଟି ପ୍ଲାଟଫର୍ମ୍ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା ।

ଜଣେ ଅଧିକାରୀ କହିଛନ୍ତି, “ବଜରଙ୍ଗ ଦଳ କର୍ମୀମାନେ ଦୁଇ ଦିନ ତଳେ ଏହି ଫିଲ୍ମ ବିରୋଧରେ ପଶ୍ଚିମବଙ୍ଗର ଓଶିୱାରା ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ତଦନ୍ତ ଚାଲିଛି।

ଏକ ହିନ୍ଦୁ ଆଇଟି ସେଲର ପ୍ରତିଷ୍ଠାତା ରମେଶ ସୋଲାଙ୍କି ଦକ୍ଷିଣ ମୁମ୍ବାଇର ଲୋକମାନ୍ୟ ତିଳକ ମାର୍ଗ ପୋଲିସ ଥାନରେ ଆଉ ଏକ ଅଭିଯୋଗ ଦେଇଛନ୍ତି।

ସୋଲାଙ୍କିଙ୍କ ଅଭିଯୋଗ ଅନୁଯାୟୀ, ଏହି ଚଳଚ୍ଚିତ୍ର ପ୍ରଭୁ ରାମଙ୍କୁ ଅପମାନିତ କରିଛି ଏବଂ ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ରିଲିଜ୍ କରାଯାଇଛି। ସେ ଫିଲ୍ମର କିଛି ଦୃଶ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହାକୁ ସେ ଧାର୍ମିକ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗରେ ଦର୍ଶାଯାଇଛି ଯେ ଫିଲ୍ମର ଶେଷ ଦୃଶ୍ୟରେ ଜଣେ ମନ୍ଦିର ପୁରୋହିତଙ୍କ ଝିଅ ବିରିୟାନି ତିଆରି କରିବା ପୂର୍ବରୁ ହିଜାବ ପିନ୍ଧି ନମାଜ କରୁଥିବା ଦେଖାଯାଇଛି। ଫିଲ୍ମର ଏହି ଚରିତ୍ରରେ ନୟନତାରା ଅଭିନୟ କରିଛନ୍ତି |

Comments are closed.