କରୋନା ଅପଡେଟ୍: ପାଞ୍ଚ ଦିନ ପରେ ୪୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ଆଉ ୩୦,୯୪୧ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ପାଞ୍ଚ ଦିନ ପରେ ୪୦,୦୦୦ ରୁ କମ୍ କରୋନା ସଂକ୍ରମଣ ରିପୋର୍ଟ ହୋଇଛି। ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇଛି। ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସର୍ବଶେଷ ତଥ୍ୟ ପ୍ରକାଶ ପାଇଛି। ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୦,୯୪୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ​ ୩୫୦ ଲୋକ ପ୍ରାଣ ହରାଇଛନ୍ତି। ଦିନକରେ ୩୬,୨୭୫ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଯଥା ଗତକାଲି ୫୬୮୪ ସକ୍ରିୟ ମାମଲା ହ୍ରାସ ପାଇଛି |

ଲଗାତାର ପାଞ୍ଚ ଦିନ ଦେଶରେ ୪୦ ହଜାରରୁ ଅଧିକ କରୋନା ମାମଲା ପଞ୍ଜିକୃତ ହୋଇଥିଲା। ବୁଧବାର ଦିନ ୪୬୧୬୪, ଗୁରୁବାର ୪୪୬୫୮, ଶୁକ୍ରବାର ୪୬୭୫୯, ଶନିବାର ଏହି ସଂଖ୍ୟା ଥିଲା ୪୫୦୮୩ ଏବଂ ସୋମବାର ୪୨୯୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

କରୋନା ମହାମାରୀ ଆରମ୍ଭରୁ ଦେଶରେ ଏଯାବତ୍ ମୋଟ ତିନି କୋଟି ୨୭ ଲକ୍ଷ ୬୮ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୩୮ ହଜାର ୫୬୦ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୧୯ ଲକ୍ଷ ୫୯ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ତିନି ଲକ୍ଷରୁ ଅଧିକ ରହିଛି | ସମୁଦାୟ ୩ ଲକ୍ଷ ୭୦ ହଜାର ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଅଗଷ୍ଟ ୩୦ ପର୍ଯ୍ୟନ୍ତ ୬୪ କୋଟି ୫ ଲକ୍ଷ ୨୮ ହଜାର ଡୋଜ କରୋନା ଟିକା ସାରା ଦେଶରେ ଦିଆଯାଇଛି। ଗତ ୨୪ ଘଣ୍ଟାରେ ଆଉ ୫୯.୬୨ ଲକ୍ଷ ଟିକା ଦିଆଯାଇଥିଲା। ଅନ୍ୟପକ୍ଷରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୫୨ କୋଟି ୧୫ ଲକ୍ଷ କରୋନା ପରୀକ୍ଷା କରାଯାଇଛି। ଗତକାଲି ପ୍ରାୟ ୧୩.୯୪ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୪ ପ୍ରତିଶତରୁ କମ୍ ଅଟେ |

Comments are closed.