ଜି-୨୦: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମଫଳକରେ ‘ଭାରତ’

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମ୍ ଠାରେ ଆଜିଠାରୁ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ରଖାଯାଇଥିବା ଫଳକରେ ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଲେଖାଯାଇଥିବା ଦେଖିବାକୁ ମିଳିଛି । ସମ୍ପ୍ରତି ‘ଇଣ୍ଡିଆ ବନାମ ଭାରତ’କୁ ନେଇ ଦେଶରେ ଏକ ବଡ଼ ବିତର୍କ ଚାଲିଛି । ‘ଇଣ୍ଡିଆ’ ଶବ୍ଦକୁ ହଟାଇ ଦେଶକୁ କେବଳ ‘ଭାରତ’ ନାମରେ ସମ୍ବୋଧନ କରିବା ପାଇଁ ସରକାର ସମ୍ବିଧାନରେ ସଂଶୋଧନ କରିବେ ବୋଲି ଚର୍ଚ୍ଚା ହେଉଛି ।

ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଇଣ୍ଡିଆ’ ବଦଳରେ ‘ଭାରତ’ର ନେତା ଭାବେ ଦର୍ଶାଯିବା ନେଇ ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆ ସାଇଟ୍ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଆଶା ଏବଂ ବିଶ୍ୱାସର ନୂଆ ନାମ – ଭାରତ।

କୌଣସି ଅନ୍ତର୍ଜାତୀୟ ମଞ୍ଚରେ ବିଭିନ୍ନ ଦେଶର ପ୍ରତିନିଧୀଙ୍କ ସାମ୍ନାରେ ରଖାଯାଇଥିବା ନାମ ଫଳକରେ ସମ୍ପୃକ୍ତ ଦେଶର ନାମ ଲେଖାଯାଇଥାଏ ।

ଜି-୨୦ ଶିଖର ସମ୍ମିଳନୀର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ରଖାଯାଇଥିବା ଫଳକରେ ‘ଇଣ୍ଡିଆ’ ବଦଳରେ ‘ଇଂରାଜୀରେ ଭାରତ’ ଲେଖାଯିବା ପରେ ଦେଶର ନାମ ପରିବର୍ତ୍ତନ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ। ନିକଟରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଦେଶର ନାମ ପରିବର୍ତ୍ତନ ଚର୍ଚ୍ଚା କେବଳ ଗୁଜବ ।

ଦେଶର ନାମ ପରିବର୍ତ୍ତନ ଚର୍ଚ୍ଚା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଜି-୨୦ ନୈଶଭୋଜି ପାଇଁ ନିମନ୍ତ୍ରଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଉଲ୍ଲେଖ କରାଯାଇଥିଲା । ଏନେଇ ବିରୋଧୀଦଳ ନେତାମାନେ ମୋଦୀ ସରକାରଙ୍କୁ ଆକ୍ରମଣ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ବିରୋଧୀ ମେଣ୍ଟ ନାଁ ‘ଇଣ୍ଡିଆ’ ରଖାଯିବାରୁ ସରକାର ଦେଶର ନାମ ବଦଳାଇବାକୁ ହୀନ ପ୍ରୟାସ କରୁଛନ୍ତି ‌ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ନେତା ତଥା କେନ୍ଦ୍ର ମନ୍ତ୍ରୀମାନଙ୍କୁ ‘ଇଣ୍ଡିଆ ବନାମ ଭାରତ’ ବିବାଦରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.