ଆଇଫୋନ୍ କିଣିବା ପାଇଁ ନିଜ ୮ ମାସର ପିଲାକୁ ବିକିଲେ ଦମ୍ପତି

କୋଲକାତା: ଆଇଫୋନ୍ ଆଗରେ ତୁଚ୍ଛ ହୋଇଗଲା ନିଜ ରକ୍ତର ସନ୍ତାନ । ଆଇଫୋନ୍ କିଣିବା ପାଇଁ ଏକ ଦମ୍ପତି ନିଜ ୮ ମାସର ପିଲାକୁ ବିକିବାକୁ ପଛେଇ ନାହାଁନ୍ତି । ପଶ୍ଚିମବଙ୍ଗରୁ ଆସିଛି ଏଭଳି ଚକିତ କଲା ଭଳି ମାମଲା । ନିଜ ପିଲାକୁ ବିକି ଆଇଫୋନର ଲାଟେଷ୍ଟ ମଡେଲ୍ କିଣିବା ପରେ ସେମାନେ ବିଭିନ୍ନ ଜାଗା ବୁଲି ରିଲ୍ ବନାଉଥିଲେ | ଏହି ମାମଲାରେ ପୋଲିସ ମାଆକୁ ଗିରଫ କରିଛି।

ଏହି ମାମଲା ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାର ବୋଲି ଜଣାପଡ଼ିଛି । ଏହି ଦମ୍ପତି ଆଇଫୋନର ଲାଟେଷ୍ଟ ମଡେଲ୍ ଆଇଫୋନ୍-୧୪ କିଣିବାକୁ ଚାହୁଁଥିଲେ। କିନ୍ତୁ ସେମାନଙ୍କ ପାଖରେ ଏତେ ଟଙ୍କା ନଥିଲା । ତେଣୁ ସେମାନେ ନିଜ ୮ ମାସର ଛୁଆକୁ ବିକି ଦେଇଥିଲେ | ପୋଲିସର ସୂଚନାନୁସାରେ, ନିଜ ପିଲାକୁ ବିକି ଆଇଫୋନ୍ କିଣିବା ପରେ ସେମାନେ ବିଭିନ୍ନ ଦର୍ଶନୀୟ ସ୍ଥାନ ଯାଇ ରିଲ୍ ପ୍ରସ୍ତୁତ କରୁଥିଲେ। ପିଲାର ମାଆ ପ୍ରିୟଙ୍କା ଘୋଷଙ୍କୁ ପୋଲିସ ଗିରଫ କରିଥିବା ବେଳେ ବାପା ଜୟଦେବ ଫେରାର ହୋଇଯାଇଛି ।

ଏହି ଦମ୍ପତିର ପଡ଼ୋଶୀ ହିଁ ଏ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ଦୁର୍ବଳ ଆର୍ଥିକ ସ୍ଥିତି ସତ୍ତ୍ବେ ସେମାନେ କିପରି ଆଇଫୋନ୍ କିଣିଲେ ସେନେଇ ଦମ୍ପତିଙ୍କ ପଡୋଶୀ ଆଶ୍ଚର୍ଯ୍ୟ ହୋଇଥିଲେ। ସେମାନଙ୍କ ୮ ମାସର ପିଲା ଗାଏବ ଥିବା ଜାଣିବା ପରେ ଲୋକଙ୍କ ସନ୍ଦେହ ଆହୁରି ବଢ଼ିଥିଲା । ପରେ ଏ କଥା ସେମାନେ ପୋଲିସକୁ ଜଣାଇଥିଲେ।

ସୂଚନାନୁସାରେ, ପୋଲିସ ମାଆ ପ୍ରିୟଙ୍କା ଘୋଷଙ୍କୁ ପଚରାଉଚରା କରି ଗାଏବ ଥିବା ପିଲା ବିଷୟରେ ପଚାରିଥିଲେ । ପ୍ରଥମେ ପ୍ରିୟଙ୍କା ବିଭ୍ରାନ୍ତିକର ଉତ୍ତର ଦେଇଥିଲା, କିନ୍ତୁ ପରେ ନିଜ ପିଲାକୁ ବିକି ଦେଇଥିବା କଥା ମାନିଥିଲା । ପ୍ରିୟଙ୍କା କହିବା ଅନୁଯାୟୀ ପିଲା ବିକିବା ପରେ ମିଳିଥିବା ଟଙ୍କାରେ ସେମାନେ ଆଇଫୋନ୍‌ କିଣିଥିଲେ । ଦୁହେଁ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ବୁଲାବୁଲି କରି ରିଲ୍ କରୁଥିଲେ।

ଅନୁସନ୍ଧାନରୁ ଜଣାପଡିଛି ଯେ ମହିଳାଙ୍କ ସ୍ୱାମୀ ଜୟଦେବ ପୂର୍ବରୁ ନିଜ ୭ ବର୍ଷର ଝିଅକୁ ବିକି ଦେବାକୁ ଚେଷ୍ଟା କରିଥିଲା । କିନ୍ତୁ ସେ ଏଥିରେ ସଫଳ ହୋଇପାରିନଥିଲା। ଏହା ପରେ ସେ ନିଜ ୮ ମାସର ଶିଶୁକୁ ବିକ୍ରି କରି ଆଇଫୋନ୍ କିଣିଥିଲେ।

Comments are closed.