ଜ୍ଞାନବାପି ପରେ ମଥୁରାର ଶାହି ଇଦଗାକୁ ନେଇ ବିବାଦ, ମନ୍ଦିର ଥିବା ଦାବି ପରେ ସର୍ଭେ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବାରାଣସୀର ଜ୍ଞାନବାପି ମସଜିଦ୍ ପରେ ଏବେ ଉତ୍ତର ପ୍ରଦେଶର ମଥୁରା ସ୍ଥିତ ଶାହି ଇଦଗାକୁ ନେଇ ବିବାଦ ସୃଷ୍ଟି ହୋଇଛି ‌। ଇଦଗା ତଳେ ମନ୍ଦିର ଥିବା ଦାବି କରାଯାଇଛି । ଏନେଇ ହିନ୍ଦୁ ସେନା ନାମକ ଏକ ସଂଗଠନର ଆବେଦନ ଉପରେ ସ୍ଥାନୀୟ କୋର୍ଟ ଇଦଗାର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣି କୋର୍ଟ ଆସନ୍ତା ଜାନୁଆରୀ ୨୦ରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ଅମିନଙ୍କୁ ସମ୍ପୃକ୍ତ ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି ଯେ ଡିସେମ୍ବର ୮ରେ ହିନ୍ଦୁ ସେନାର ରାଷ୍ଟ୍ରୀୟ ସଭାପତି ବିଷ୍ଣୁ ଗୁପ୍ତା ତଥା ଦିଲ୍ଲୀର ଉପସଭାପତି ସୁରଜିତ ସିଂ ଯାଦବ ସିଭିଲ ଜଜ ସିନିୟର ଡିଭିଜନ (ତୃତୀୟ) ବିଚାରପତି ସୋନିକା ବର୍ମାଙ୍କ କୋର୍ଟରେ ଶାହି ଇଦଗାର ସର୍ଭେ ପାଇଁ ଆବେଦନ କରିଥିଲେ । ଆବେଦନରେ ଦାବି କରାଯାଇଛି ଯେ ଶ୍ରୀକୃଷ୍ଣ ଜନ୍ମସ୍ଥାନର ୧୩.୩୭ ଏକର ଜମିରେ ମନ୍ଦିର ଭାଙ୍ଗି ମୋଗଲ ସମ୍ରାଟ ଔରଙ୍ଗଜେବ ଇଦଗା ​​ନିର୍ମାଣ କରିଥିଲେ। ବିଷ୍ଣୁ ଗୁପ୍ତା ଓ ସୁରଜିତ ସିଂ ଭଗବାନ କୃଷ୍ଣଙ୍କ ଜନ୍ମ ଠାରୁ ଆରମ୍ଭ କରି ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ସମସ୍ତ ଐତିହାସିକ ତଥ୍ୟ କୋର୍ଟରେ ଦାଖଲ କରିଛନ୍ତି। ଏହାଛଡ଼ା ୧୯୬୮ ମସିହାରେ ଶ୍ରୀକୃଷ୍ଣ ଜନ୍ମ ସେବା ସଂଗଠନ ଓ ଶାହି ଇଦଗା ​​ମଧ୍ୟରେ ହୋଇଥିବା ଚୁକ୍ତି ବାତିଲ କରିବାକୁ ଉଭୟ ଦାବି କରିଛନ୍ତି।

ଏହି ମାମଲାର ଶୁଣାଣି ଡିସେମ୍ବର ୨୨ରେ ହେବାର ଥିଲା, କିନ୍ତୁ କିଛି ଅନିର୍ବାଯ୍ୟ କାରଣରୁ ହୋଇପାରିନଥିଲା | ତେବେ ବର୍ତ୍ତମାନ ଅମିନଙ୍କୁ ଜାନୁଆରୀ ୨୦ ସୁଦ୍ଧା ଇଦଗା ସର୍ଭେ ​​ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ବାରାଣସୀର ଜ୍ଞାନବାପି ମସଜିଦ୍ ମାମଲାରେ ମଧ୍ୟ କୋର୍ଟ ଭିଡ଼ିଓ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପାଞ୍ଚଜଣ ମହିଳା ଜ୍ଞାନବାପି ମସଜିଦ ପରିସରରେ ଥିବା ଶୃଙ୍ଗାର ଗୌରୀ ମୂର୍ତ୍ତିର ପୂଜାର୍ଚ୍ଚନା କରିବାକୁ ଅନୁମତି ଲୋଡ଼ି ଆବେଦନ କରିଥିଲେ ଏବଂ ମୂର୍ତ୍ତି ଗୁଡ଼ିକର ସୁରକ୍ଷା ଦାବି କରିଥିଲେ । ଉକ୍ତ ଆବେଦନ ଉପରେ ତତ୍କାଳୀନ ସିଭିଲ୍ ଜଜ୍ ସିନିୟର ଡିଭିଜନ୍ ରବି କୁମାର ଦିୱାକର ମସଜିଦ ପରିସରରେ ସର୍ଭେ ପାଇଁ କମିଶନରଙ୍କୁ ନିଯୁକ୍ତ କରିଥିଲେ । ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

Comments are closed.