ହନୁମାନ ଚାଳିଶା ବିବାଦ: ଜେଲ୍ ଗଲେ ସାଂସଦ ନବନୀତ୍ ରାଣା ଓ ସ୍ୱାମୀ ରବି ରାଣା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ବାହାରେ ହନୁମାନ ଚାଳିଶା ପଢ଼ିବାକୁ ଧମକ ଦେଇ ଗିରଫ ହୋଇଥିବା ସ୍ୱାଧୀନ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଝଟକା ଲାଗିଛି । ନବନୀତ୍ ଓ ତାଙ୍କ ସ୍ବାମୀଙ୍କୁ ବାନ୍ଦ୍ରା କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୯ ରେ ହେବ।

ମୁମ୍ବାଇ ପୋଲିସ ରାଣା ଦମ୍ପତିଙ୍କୁ ଶନିବାର ରାତିରେ ଗିରଫ କରିଥିଲା ​​ଏବଂ ଉଭୟଙ୍କୁ ଖର ପୋଲିସ ଷ୍ଟେସନକୁ ନେଇଥିଲା ।

ଆଇପିସି ଧାରା ୧୫୩ (ଏ) (ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଏବଂ ରାଜଦ୍ରୋହ ଧାରା ୧୨୪ (ଏ) ସହ ବିଭିନ୍ନ ଧାରାରେ ନବନୀତ ଏବଂ ରବିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ ବାହାରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଥିଲେ | ଏଥିପାଇଁ ସେ ଅମରାବତୀରୁ ମୁମ୍ବାଇରେ ପହଞ୍ଚିଥିଲେ । କିନ୍ତୁ ନବନୀତ୍ ଓ ତାଙ୍କ ସ୍ବାମୀ ତାହା କରିପାରିନଥିଲେ। କାରଣ ସେ ଉଦ୍ଧବ ଠାକରେଙ୍କ ବାସଭବନ ପହଞ୍ଚିବା ପୂର୍ବରୁ ବହୁ ସଂଖ୍ୟକ ଶିବସେନା କର୍ମୀ ତାଙ୍କ ଘର ବାହାରେ ହୋହଲ୍ଲା କରିଥିଲେ। ସେମାନେ ନବନୀତ୍ ଓ ତାଙ୍କ ସ୍ବାମୀ ଏବଂ ରବିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ପରେ ଏକ ଫେସବୁକ୍ ଲାଇଭରେ ନବନୀତ୍ କହିଥିଲେ ଯେ ମୁଁ ଭାବୁଛି ମୋର ଲକ୍ଷ୍ୟ ସ୍ପଷ୍ଟ ଭାବେ ପୂରଣ ହୋଇଛି। ଯଦିଓ ଆମେ ମାତୋଶ୍ରୀରେ ପହଞ୍ଚି ପାରିଲୁ ନାହିଁ, କିନ୍ତୁ ଅନେକ ଭକ୍ତ ମାତୋଶ୍ରୀ ସମ୍ମୁଖରେ ହନୁମାନ ଚାଳିଶା ପଢ଼ିଥିଲେ | ଯେକୌଣସି ଭାବେ ଆମର ସ୍ୱର ସେଠାରେ ପହଞ୍ଚିଥିବା ପ୍ରମାଣିତ ହୋଇଛି |

Comments are closed.