ଦୁଇ ବର୍ଷ ପରେ ଆଜି ହଟିବ କୋଭିଡ୍ କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିରେ କ୍ରମାଗତ ଉନ୍ନତି ଘଟୁଥିବାରୁ ୩୧ ମାର୍ଚ୍ଚ ଅର୍ଥାତ୍ ଆଜିଠାରୁ ସବୁ କୋଭିଡ କଟକଣା ହଟାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ମାସ୍କ ପିନ୍ଧିବା ଜାରି ରଖିବାକୁ ପରାମର୍ଶ ଦିଆଯାଇଛି। ଦୁଇ ବର୍ଷ ପୂର୍ବେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ସହ ଅନେକ କଟକଣା ଲାଗୁ କରାଯାଇଥିଲା |

ମାର୍ଚ୍ଚ ୨୪, ୨୦୨୦ରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ବିପର୍ଯ୍ୟୟ ପରିଚାଳନା ଆଇନ – ୨୦୦୫ ଅନୁଯାୟୀ କରୋନା ଗାଇଡ ଲାଇନ୍ ଜାରି କରିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ଏଥିରେ ଅନେକ ଥର ପରିବର୍ତ୍ତନ କରାଯାଇଛି | ଚଳିତ ମାସ ୨୨ରେ ସମସ୍ତ ରାଜ୍ୟ ସଚିବଙ୍କ ନିକଟକୁ ପଠାଯାଇଥିବା ଚିଠିରେ କୁହାଯାଇଥିଲା ଯେ ଗତ ଦୁଇ ବର୍ଷ ମଧ୍ୟରେ ପରୀକ୍ଷା, ନୀରିକ୍ଷଣ, କଣ୍ଟାକ୍ଟ ଟ୍ରେସିଂ, ଚିକିତ୍ସା, ଟିକାକରଣ ଏବଂ ସ୍ୱାସ୍ଥ୍ୟ ସୁବିଧା କ୍ଷେତ୍ରରେ ଅନେକ ବିକାଶ ଘଟିଛି।

ଏହି ଚିଠିରେ କୁହାଯାଇଥିଲା ଯେ ମାର୍ଚ୍ଚ ୩୧ ରୁ କୋଭିଡ-୧୯ ସମ୍ବନ୍ଧୀୟ ସମସ୍ତ ନିୟମ ଶେଷ କରାଯିବ । ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ କଟକଣା ଲଗାଇବାକୁ ଆଉ କୌଣସି ଆବଶ୍ୟକତା ନ ପଡ଼ିପାରେ ବୋଲି କେନ୍ଦ୍ର କହିଥିଲା । ତଥାପି କିଛି ସତର୍କତା ଜରୁରୀ ବୋଲି କୁହାଯାଇଥିଲା | ଦୁନିଆର ଅନେକ ଦେଶରେ ଆଜିକାଲି କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି ।

ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ମାମଲାରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୨୩ଟି ନୂଆ ମାମଲା ପଞ୍ଜିକୃତ ହୋଇଛି | ଦିନକରେ କରୋନା ଯୋଗୁଁ ଜଣେ ରୋଗୀର ମୃତ୍ୟୁ ମଧ୍ୟ ହୋଇଛି।

Comments are closed.