ଏଣିକି ୮ ସପ୍ତାହ ପରେ ଦିଆଯିବ କୋଭିଶିଲ୍ଡର ଦ୍ବିତୀୟ ଡୋଜ୍

ନୂଆଦିଲ୍ଲୀ: କୋଭିଶିଲ୍ଡ କରୋନା ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ପୁଣି ହ୍ରାସ କରିବାକୁ ସରକାରଙ୍କ ଟିକାକରଣ ଉପଦେଷ୍ଟା ଗୋଷ୍ଠୀ (ଏନଟିଏଜିଆଇ) ସୁପାରିସ କରିଛି | କୋଭିଶିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ସମ୍ପ୍ରତି ୧୨-୧୬ ସପ୍ତାହ ରହିଛି । ଏହାକୁ ବର୍ତ୍ତମାନ ୮-୧୬ ସପ୍ତାହକୁ ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି | ଏନଟିଏଜିଆଇ ଭରତ ବାୟୋଟେକର କୋଭାକ୍ସିନ୍ର ଟିକା ଡୋଜ୍ ନେଇ କୌଣସି ପରାମର୍ଶ ଦେଇନାହାଁନ୍ତି | କୋଭାକ୍ସିନ୍ର ଟିକାର ଦ୍ୱିତୀୟ ଡୋଜ୍ ପ୍ରଥମ ଡୋଜର ୨୮ ଦିନ ପରେ ଦିଆଯାଏ |

ସରକାରୀ ସୂତ୍ରରୁ ପ୍ରକାଶ ଯେ, “ଏନଟିଏଜିଆଇ ର ସଦ୍ୟତମ ସୁପାରିସ ବୈଜ୍ଞାନିକ ପ୍ରମାଣ ଉପରେ ଆଧାରିତ |” ଆଠ ସପ୍ତାହ ପରେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ଦିଆଗଲେ ଜଣେ ବ୍ୟକ୍ତିଙ୍କ ଶରୀରରେ ଯେଭଳି ଆଣ୍ଟିବଡି ପ୍ରତିକ୍ରିୟା ସୃଷ୍ଟି ହୁଏ ତାହା ୧୨ ରୁ ୧୬ ସପ୍ତାହ ବ୍ୟବଧାନ ସହ ସମାନ ।

ଅନେକ ଦେଶରେ କରୋନା ମାମଲା ବଢୁଥିବା ବେଳେ ଅବଶିଷ୍ଟ ଲୋକଙ୍କୁ କୋଭିଶିଲ୍ଡର ଦ୍ୱିତୀୟ ଡୋଜ ଶୀଘ୍ର ଦେବା ନିଷ୍ପତ୍ତି ସହାୟକ ହେବ ବୋଲି ସୂତ୍ରରୁ ପ୍ରକାଶ। ମେ ୧୩, ୨୦୨୧ରେ ସରକାର ଏନଟିଏଜିଆଇ ର ସୁପାରିସକୁ ଆଧାର କରି କୋଭିଡଶିଲ୍ଡ ଟିକା ର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ୬-୮ ସପ୍ତାହରୁ ୧୨-୧୬ ସପ୍ତାହକୁ ବୃଦ୍ଧି କରିଥିଲେ |

Comments are closed.