‘ତେଲ ଦର ବଢ଼ାଇ ଲୋକଙ୍କ ଜୀବନ ଦୁର୍ବିସହ କରିଦେଲେଣି ସରକାର’

ନୂଆଦିଲ୍ଲୀ : ତୈଳ ଦର ବୃଦ୍ଧି ନେଇ ଭାରତୀୟ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ଏମ) ମଙ୍ଗଳବାର ମୋଦି ସରକାରକୁ ଆକ୍ରମଣ କରିଛି । କ୍ରମାଗତ ଦର ବୃଦ୍ଧି କରି ସରକାର ଲୋକଙ୍କ ଜୀବନ ଦୁର୍ବିସହ କରିଦେଇଛନ୍ତି ବୋଲି ସିପିଆଇ(ଏମ୍) ଅଭିଯୋଗ କରିଛି ।

ମଙ୍ଗଳବାର ପୁଣି ତୈଳଦର ବୃଦ୍ଧି ହୋଇଛି । ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୮୦ ପଇସା ବୃଦ୍ଧି ପରେ ଦିଲ୍ଲୀ ତଥା ରାଜ୍ୟର ଅଧିକାଂଶ ରାଜଧାନୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଏଥିସହିତ ଡିଜେଲର ମୂଲ୍ୟ ଲିଟର ପିଛା ୭୦ ପଇସା ବୃଦ୍ଧି କରାଯାଇଥିଲା।

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଏପର୍ଯ୍ୟନ୍ତ ଲିଟର ପିଛା ମୋଟ ୪.୮୦ ଟଙ୍କା ବୃଦ୍ଧି ପାଇଛି।

ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ଵାରା ଜାରି କରାଯାଇଥିବା ଦର ସମ୍ବନ୍ଧୀୟ ବିଜ୍ଞପ୍ତି ଅନୁଯାୟୀ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୯.୪୧ ରୁ ୧୦୦.୨୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୭୭ ରୁ ୯୧.୪୭ ଟଙ୍କାକୁ ବୃଦ୍ଧି ପାଇଛି। ।

ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏକ ଟୁଇଟ୍‌ରେ କହିଛନ୍ତି ଯେ କୋଭିଡ ମହାମାରୀ ପରେ ଲୋକମାନେ ଯେପରି କୌଣସି ଆଶ୍ବସ୍ତି ପାଇବେ ନାହିଁ ମୋଦି ସରକାର ତାହା ନିଶ୍ଚିତ କରୁଛନ୍ତି। ମୂଲ୍ୟ ବୃଦ୍ଧି ଲୋକଙ୍କ ପାଇଁ ଜୀବନକୁ କଷ୍ଟକର କରିଦେଇଛି | ଅନ୍ତତଃ
ପକ୍ଷେ ତୈଳ ଉତ୍ପାଦ ଉପରେ କେନ୍ଦ୍ରୀୟ ସେସ୍ / ସରଚାର୍ଜକୁ ହଟାନ୍ତୁ ଏବଂ ମୂଲ୍ୟ ହ୍ରାସ କରନ୍ତୁ | ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧି ନେଇ ମଧ୍ୟ ୟେଚୁରୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।

Comments are closed.