ଶେଷ ଯାତ୍ରାରେ କିମ୍ବଦନ୍ତୀ ଲତା ମଙ୍ଗେସକର, ସନ୍ଧ୍ୟା ୬ଟା ୩୦ ମିନିଟରେ ଶିବାଜୀ ପାର୍କରେ ହେବ ଅନ୍ତିମ ସଂସ୍କାର, ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ: କିମ୍ବଦନ୍ତୀ କଣ୍ଠଶିଳ୍ପୀ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଶେଷ ଯାତ୍ରା ଆରମ୍ଭ ହୋଇଛି | ତାଙ୍କ ପାର୍ଥିବ ଶରୀରକୁ ତ୍ରିରଙ୍ଗାରେ ଘୋଡାଇ ଶିବାଜୀ ପାର୍କକୁ ନିଆଯାଇଛି, ଯେଉଁଠାରେ ତାଙ୍କର ସନ୍ଧ୍ୟା ୬:୩୦ରେ ତାଙ୍କର ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ । ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ମୋଦି ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀଙ୍କ ପରେ ରାଜ୍ୟପାଳ ଭଗବତ ସିଂ କୋଶିଆରି ମଧ୍ୟ ଲତା ମଙ୍ଗେସକରଙ୍କୁ ଶେଷ ଦର୍ଶନ କରିବେ ।

ବ୍ରିଚ କ୍ୟାଣ୍ଡି ହସ୍ପିଟାଲରୁ ଲତା ମଙ୍ଗେସକରଙ୍କ ମୃତ ଦେହ ଅପରାହ୍ନ ପ୍ରାୟ ୧:୧୦ରେ ପହଞ୍ଚିଥିଲା । ପରେ ସେନା କର୍ମଚାରୀମାନେ ଲତାଙ୍କ ପାର୍ଥିବ ଶରୀରକୁ ତ୍ରିରଙ୍ଗାରେ ଘୋଡାଇ ଥିଲେ । ପରେ ଏହି ମହାନ ଗାୟିକାଙ୍କ ମରଶରୀରକୁ ତାଙ୍କ ବାସଭବନ ପ୍ରଭାସ କୁଞ୍ଜ ଆପାର୍ଟମେଣ୍ଟରୁ ଶିବାଜୀ ପାର୍କ ଅଭିମୁଖେ ନିଆଯାଇଥିଲା । ଏହି ମହାନ ‌କଣ୍ଠଶିଳ୍ପୀଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ରାଜରାସ୍ତାରେ ରୁଣ୍ଡ ହୋଇଥିଲେ।

କରୋନା ସହ ନିମୋନିଆରେ ପୀଡ଼ିତ ହେବା ପରେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଜାନୁଆରୀ ୮ରେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ପରେ ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୮:୧୨ ମିନିଟରେ ଏହି କୋକିଳକଣ୍ଠୀଙ୍କ ପରଲୋକ ହୋଇଥିଲା ।

Comments are closed.