୧୨୮ ବର୍ଷ ପରେ ହେବ କ୍ରିକେଟର ଅଲିମ୍ପିକ୍ସ ପ୍ରତ୍ୟାବର୍ତ୍ତନ, ୨୦୨୮ ସଂସ୍କରଣରେ ହୋଇପାରେ ସାମିଲ

ନୂଆଦିଲ୍ଲୀ: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର | ଶେଷରେ ସାକାର ହେବାକୁ ଯାଉଛି କ୍ରିକେଟର ଅଲିମ୍ପିକ୍ ସ୍ବପ୍ନ । ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇପାରେ | ଆଇସିସି ଏ ସମ୍ପର୍କରେ ସୂଚନା ଦେଇଛି।

ଲସ୍ ଆଞ୍ଜେଲସ୍ ୨୦୨୮ ଅଲିମ୍ପିକ୍ସର ଆୟୋଜକମାନେ କ୍ରୀଡ଼ା ବର୍ଗରେ କ୍ରିକେଟକୁ ସାମିଲ କରିବାକୁ ସୁପାରିସ କରିଛନ୍ତି ବୋଲି ଏକ ବିବୃତ୍ତିରେ ଆଇସିସି କହିଛି ।

ଆଇସିସି କହିଛି ଯେ କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରିବାକୁ ଆମେ ଦୁଇ ବର୍ଷ ଧରି ୨୦୨୮ ଅଲିମ୍ପିକ୍ସ ଆୟୋଜକମାନଙ୍କ ସହ ମିଶି କାମ କରିଥିଲୁ । ବର୍ତ୍ତମାନ ଆୟୋଜକମାନେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ସାମିଲ ହେବାକୁ ଥିବା କ୍ରୀଡ଼ା ତାଲିକା ପ୍ରକାଶ କରିଛନ୍ତି । ଏଥିରେ କ୍ରିକେଟ୍ ବି ଅଛି ।

କ୍ରିକେଟ୍ ବ୍ୟତୀତ ଫ୍ଲାଗ୍ ଫୁଟବଲ୍, ବେସବଲ୍ ଏବଂ ସଫ୍ଟବଲ୍ ମଧ୍ୟ ଏହି ତାଲିକାରେ ରହିଛି ।

ତେବେ ଏହି ସୁପାରିସ ଉପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ଅନୁମୋଦନ ଆବଶ୍ୟକ । ଆସନ୍ତା ଅକ୍ଟୋବର ୧୫ରେ ମୁମ୍ବାଇରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ମହାଅଧିବେଶନରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ ।
ଏହା ପୂର୍ବରୁ ଅଲିମ୍ପିକ୍ସରେ କେବଳ ଥରେ କ୍ରିକେଟ୍ ଖେଳାଯାଇଥିଲା । ୧୯୦୦ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା |

ଅଲିମ୍ପିକ୍ସରେ କ୍ରିକେଟ୍ ପ୍ରତିଯୋଗିତା ଟି-୨୦ ଫର୍ମାଟରେ ହେଇପାରେ । ସଦ୍ୟ ସମାପ୍ତ ହାଙ୍ଗଝୋ ଏସୀୟ କ୍ରୀଡ଼ାରେ କ୍ରିକେଟକୁ ସାମିଲ କରାଯାଇଥିଲା । ଟି-୨୦ ଫର୍ମାଟରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା କ୍ରିକେଟରେ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲା ‌ ।

Comments are closed.