ସାମିଙ୍କୁ ୭ ଓ୍ବିକେଟ୍, ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ବକପ୍ ଫାଇନାଲରେ ଭାରତ

ମୁମ୍ବାଇ: ତୃତୀୟ ବିଶ୍ବକପ୍ ଟ୍ରଫିଠୁ ଭାରତ ଏବେ ଆଉ ଗୋଟିଏ ବିଜୟ ଦୂରରେ । କୋହଲିଙ୍କ ରେକର୍ଡ ଶତକ ଓ ଶ୍ରେୟସ ଆୟରଙ୍କ ସେଞ୍ଚୁରି ପରେ ମହମ୍ମଦ ସାମିଙ୍କ ୭ ଓ୍ବିକେଟ୍ ବଳରେ ଭାରତ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଏଥିସହ ନ୍ୟୁଜିଲାଣ୍ଡ ଠାରୁ ୨୦୧୯ ସେମିଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ ।

ଭାରତ ଚତୁର୍ଥ ଥର ପାଇଁ ବିଶ୍ବକପ ଫାଇନାଲରେ ପହଞ୍ଚିଛି । ଚଳିତ ବିଶ୍ୱକପରେ ଭାରତ ମଧ୍ୟ ଅପରାଜେୟ ଧାରା ଜାରି ରଖି କ୍ରମାଗତ ଦଶମ ବିଜୟ ହାସଲ କରିଛି । ଭାରତ ପୂର୍ବରୁ ୧୯୮୩, ୨୦୦୩ ଓ ୨୦୧୧ ସଂସ୍କରଣର ଫାଇନାଲ୍ ଖେଳିଥିଲା ।

ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲରେ ବିରାଟ କୋହଲି ଦିନିକିଆ କ୍ରିକେଟରେ ଶତକର ଅର୍ଦ୍ଧଶତକ ପୂରଣ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିବାବେଳେ ଶ୍ରେୟସ୍ ଆୟର କ୍ରମାଗତ ଦ୍ୱିତୀୟ ସେଞ୍ଚୁରି ମାରିଥିଲେ। ଫଳରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪ ଓ୍ବିକେଟ୍ ହରାଇ ବିଶାଳ ୩୯୭ ରନ୍ କରିଥିଲା ।

କୋହଲି ୧୧୩ ବଲରେ ୧୧୭ ରନ୍ କରିଥିବାବେଳେ ଆୟର ୭୦ ବଲରେ ୧୦୫ ରନର ଇନିଂସ୍ ଖେଳିଥିଲେ। ଦୁହେଁ ୧୨୮ ବଲରେ ୧୬୩ ରନ୍ ଯୋଡ଼ିଥିଲେ।

୩୯୮ ରନର ବଡ଼ ଟାର୍ଗେଟ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ ୪୮.୫ ଓଭରରେ ୩୨୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଡାରିଲ ମିଚେଲ୍ ଏକ ଲଢୁଆ ଶତକ କରିଥିଲେ ମଧ୍ୟ ନ୍ୟୁଜିଲ୍ୟାଣ୍ଡକୁ ପରାଜୟରୁ ରକ୍ଷା କରିପାରିନଥିଲେ । ଦଳ ପକ୍ଷରୁ ମିଚେଲ୍ ୧୩୪ ରନର ଇନିଂସ୍ ଖେଳିଥିଲେ । ଅଧିନାୟକ କେନ୍ ଓ୍ବିଲିୟମସନ ୬୯ ରନ୍ କରିଥିବା ବେଳେ ଗ୍ଲେନ୍ ଫିଲିପ୍ସ ୪୧ ରନ୍ କରିଥିଲେ ।

ଭାରତ ପକ୍ଷରୁ ସାମି ତାଙ୍କ ଯାଦୁକରୀ ପ୍ରଦର୍ଶନ ଜାରି ରଖି ୭ଟି ଓ୍ବିକେଟ୍ ନେଇଥିଲେ । ପ୍ରଥମ ଭାରତୀୟ ବୋଲର ଭାବେ ସାମି ଏକ ବିଶ୍ବକପ୍ ମ୍ୟାଚରେ ୭ ଓ୍ବିକେଟ୍ ନେଇଛନ୍ତି। ବୁମରା, ସିରାଜ୍ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ସାମି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲର ବିଜେତାକୁ ଭେଟିବ ।

ପୂର୍ବରୁ କୋହଲି ରେକର୍ଡ ୫୦ତମ ଶତକ ସହ ଇତିହାସ ରଚିଥିଲେ । ୧୦୬ ବଲରେ ନିଜ ଶତକ ପୂରଣ କରି କୋହଲି ଦିନିକିଆ କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଶତକର ରେକର୍ଡ ଭାଙ୍ଗିଥିଲେ। ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ ଦିନିକିଆରେ ଶତକର ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ରେକର୍ଡ ଶତକୀୟ ପାଳି ଅବସରରେ ସେ ୯ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ଏହି ଇନିଂସରେ ଅବସରରେ ସେ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ଼ ମଧ୍ୟ ଭାଙ୍ଗିଥିଲେ । ଗୋଟିଏ ବିଶ୍ୱକପରେ ସର୍ବାଧିକ ରନ୍ ସଂଗ୍ରହ କରିବାର ରେକର୍ଡରେ ସଚିନଙ୍କୁ ଟପିଥିଲେ । କୋହଲି ଚଳିତ ବିଶ୍ବକପରେ ୭୧୧ ରନ୍ କରିଛନ୍ତି। ସଚିନ ୨୦୦୩ ବିଶ୍ବକପରେ ୬୭୩ ରନ୍ କରିଥିଲେ ।

ଶୁଭମାନ ଗିଲ୍ ମଝି ଇନିଂସରେ ରିଟାୟର ହର୍ଟ ହେବା ପରେ କ୍ରିଜକୁ ଓହ୍ଲାଇଥିବା ଆୟର, କୋହଲିଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଦ୍ୱିତୀୟ ଶତକ ମାରିଥିଲେ। ନିଜ ହୋମ୍ ଗ୍ରାଉଣ୍ଡରେ ଖେଳୁଥିବା ଆୟର ୬୭ ବଲରେ ଶତକ ପୂରଣ କରିଥିଲେ। ତାଙ୍କର ଏହି ଶତକୀୟ ପାଳିରେ ସେ ମାରିଥିଲେ ୮ଟି ବିଶାଳ ଛକା ଓ ୪ଟି ଚୌକା ଆୟରଙ୍କ ଏହି ଶତକ ବିଶ୍ୱକପ୍‌ର ନକ୍ଆଉଟ୍ ପର୍ଯ୍ୟାୟରେ ଦ୍ରୁତତମ ଶତକ ।

ପୂର୍ବରୁ ଅଧିନାୟକ ରୋହିତ ଶର୍ମା ୨୯ ବଲରେ ୪ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ଧୂଆଁଧାର ୪୭ ରନର ପାଳି ଖେଳି ଭାରତକୁ ଏକ ଧମାକାଦାର ଷ୍ଟାର୍ଟ ଦେଇଥିଲେ । ଫଳରେ ଭାରତ ୫ ଓଭର ବେଳକୁ ୫୦ ରନ୍ ଟପିଥିଲା। ସେ ଆଉଟ୍ ହେବା ପରେ ଗିଲ୍ ରନ୍ ଗତି ବଜାୟ ରଖି ୪୧ ବଲରେ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ୭୯ ରନ୍ କରିଥିବା ବେଳେ ବାମ ଗୋଡ଼ରେ କ୍ରାମ୍ପ୍ କାରଣରୁ ତାଙ୍କୁ କ୍ରିଜ୍ ଛାଡ଼ିବାକୁ ପଡ଼ିଥିଲା | ଅବଶ୍ୟ ଗିଲ୍ ଶେଷ ଓଭରରେ ଫେରିଥିଲେ ଏବଂ ୮୦ ରନ୍ କରି ଅପରାଜିତ ରହିଥିଲେ। ସେ ୬୬ ବଲ୍ ଖେଳିଥିବା ବେଳେ ୮ଟି ଚୌକା ଓ ୩ଟି ଛକା ମାରିଥିଲେ । କେଏଲ୍ ରାହୁଲ ୨୦ ବଲରେ ୫ଟି ଚୌକା ଓ ଦୁଇଟି ଛକା ସହ ଅପରାଜିତ ୩୯ ରନ୍ କରିଥିଲେ । ଭାରତ ଶେଷ ୧୦ ଓଭରରେ ୧୧୦ ରନ୍ ସଂଗ୍ରହ କରିଥିଲା ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସାଉଦି ସବୁଠାରୁ ମହଙ୍ଗା କିନ୍ତୁ ସଫଳ ବୋଲର ହୋଇଥିଲେ। ସେ ୧୦ ଓଭରରେ ୧୦୦ ରନ୍ ବ୍ୟୟ କରି ୩ଟି ୱିକେଟ୍ ନେଇଥିଲେ।

Comments are closed.