ଅତି ଭୀଷଣ ବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’, ୧୫ରେ କଚ୍ ଓ କରାଚି ମଧ୍ୟରେ କରିବ ଲ୍ୟାଣ୍ଡଫଲ୍

ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ ‘ବିପର୍ଯ୍ୟୟ’ ଆହୁରି ଶକ୍ତିଶାଳୀ ହୋଇଛି ।‌ ରବିବାର ସକାଳ ସୁଦ୍ଧା ଏହା ଅତିଭୀଷଣ ବାତ୍ୟାରେ ପରିଣତ ହୋଇଛି | ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ‘ବିପର୍ଯ୍ୟୟ’ ଜୁନ ୧୫ରେ ଗୁଜରାଟର କଚ୍ ଓ ପାକିସ୍ତାନର କରାଚି ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି ।

ଆଇଏମଡି ସୂଚନା ମୁତାବକ, ଘୂର୍ଣ୍ଣିଝଡ ‘ବିପର୍ଯ୍ୟୟ’ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବା ପୂର୍ବରୁ ଆସନ୍ତା ତିନି ଦିନ ଯାଏଁ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ। ଭାରତ ପାଣିପାଗ ବିଭାଗର ଅହମ୍ମଦାବାଦ କେନ୍ଦ୍ରର ନିର୍ଦ୍ଦେଶକ ମନୋରାମା ମହାନ୍ତି କହିଛନ୍ତି, ଏହି ଘୂର୍ଣ୍ଣିଝଡ଼ ପୋରବନ୍ଦର ଠାରୁ ୨୦୦-୩୦୦ କିଲୋମିଟର ଏବଂ ନାଲିଆ (କଚ୍) ଠାରୁ ୨୦୦ କିଲୋମିଟର ଦୂରରେ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନର ପୂର୍ବାନୁମାନ ଅନୁଯାୟୀ ଏହା ଗୁଜରାଟ ଉପକୂଳରେ ମାଡ଼ ହେବାର ସମ୍ଭାବନା ନାହିଁ। ”

ଆସନ୍ତା ୫ ଦିନ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ‘ବିପର୍ଯ୍ୟୟ’ ଦୃଷ୍ଟିରୁ ସୌରାଷ୍ଟ୍ର-ଗୁଜରାଟର ଉପକୂଳବର୍ତ୍ତୀ ଜିଲ୍ଲା ସହ ଡାମନ ଓ ଡିଉରେ ହାଇ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଦ୍ବାରା ପ୍ରଭାବିତ ହେବା ସମ୍ଭାବନା ଥିବା ଜିଲ୍ଲାଗୁଡିକୁ ଏନଡିଆରଏଫ୍ ଟିମ୍ ପଠାଯାଇଛି ।

Comments are closed.