ଦାଉଦ୍ ଇବ୍ରାହିମର ଘନିଷ୍ଠ ସହଯୋଗୀ ଫହିମର କରୋନାରେ ମୃତ୍ୟୁ

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ଘନିଷ୍ଠ ସହଯୋଗୀ ଗ୍ୟାଙ୍ଗଷ୍ଟର ଫହିମ ମାଚମଚ୍ ର ପାକିସ୍ତାନର କରାଚିରେ ମୃତ୍ୟୁ ହୋଇଯାଇଛି। ମୁମ୍ବାଇ ପୋଲିସ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା । ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତିରେ କରାଚିର ଏକ ଘରୋଇ ହସ୍ପିଟାଲରେ ୫୧ ବର୍ଷିୟ ମାଚମଚ୍ ର ମୃତ୍ୟୁ ଘଟିଛି। ହତ୍ୟା, ହତ୍ୟା ଉଦ୍ୟମ, ଚୋରାଚାଲାଣ ତଥା ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ ପାଇଁ ଫହିମ ଅହମ୍ମଦ ସରିଫ ଓରଫ୍ ମାଚମଚ ମୁମ୍ବାଇ ଏବଂ ଅନ୍ୟାନ୍ୟ ସହରରେ ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ଥିଲା।

ପୋଲିସର ସୂଚନାନୁସାରେ, ସେ ଦକ୍ଷିଣ ମୁମ୍ବାଇର ଭିଣ୍ଡି ବଜାର ଅଞ୍ଚଳର ପେରୁ ଲେନର ବାସିନ୍ଦା ଥିଲା । ପରେ ସେ ଅପରାଧ ଜଗତରେ ନିଜର ପ୍ରାଧାନ୍ୟ ବିସ୍ତାର କରି ଦାଉଦ୍ ଇବ୍ରାହିମ ଏବଂ ତାର ଡାହାଣ ହାତ ଛୋଟା ଶକିଲର ଘନିଷ୍ଠ ସହଯୋଗୀ ହୋଇଯାଇଥିଲା। ମାଚମଚ୍ ଗତ ସାତ ବର୍ଷ ଧରି ଦାଉଦ୍ ସହ ପାକିସ୍ତାନରେ ରହୁଥିଲା।

Comments are closed.