କୋହଲିଙ୍କ ଝିଅକୁ ଧମକ ମାମଲାରେ ଦିଲ୍ଲୀ ମହିଳା କମିଶନଙ୍କ ହସ୍ତକ୍ଷେପ, ପୋଲିସକୁ ପଠାଇଲେ ନୋଟିସ୍

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆ ଧିନାୟକ ବିରାଟ କୋହଲିଙ୍କ ୯ ମାସର ଝିଅକୁ ସୋସିଆଲ ମିଡ଼ିଆରେ ମିଳିଥିବା ବଳାତ୍କାର ଧମକ ମାମଲାରେ ଦିଲ୍ଲୀ ମହିଳା କମିଶନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କମିଶନ ଦିଲ୍ଲୀ ପୋଲିସକୁ ନୋଟିସ ପଠାଇ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି।

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ‌ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି। ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବାକୁ ସେ ଦିଲ୍ଲୀ ପୋଲିସକୁ ଅନୁରୋଧ କରିଛନ୍ତି।

ଦୁବାଇରେ ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ୧୦ ଓ୍ବିକେଟରେ ଶୋଚନୀୟ ଭାବେ ହାରିବା ପରେ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡଠୁ ମଧ୍ୟ ୮ ଓ୍ବିକେଟରେ ହାରିଥିଲା। ଦଳର ଏଭଳି ଦୟନୀୟ ପ୍ରଦର୍ଶନରୁ ହଜମ କରିନପାରି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ କୋହଲିଙ୍କ ଦଳକୁ କଡ଼ା ସମାଲୋଚନା ସହ ଟ୍ରୋଲ୍ କରିଥିଲେ। ଏପରିକି ଜଣେ ୟୁଜର୍ କୋହଲିଙ୍କ ୯ ମାସର ଝିଅକୁ ବଳାତ୍କାର ଧମକ ଦେଇଥିଲା । ଏହା ପୂର୍ବରୁ ପାକିସ୍ତାନ ଠାରୁ ପରାଜୟ ପରେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସୋସିଆଲ ମିଡିଆରେ ଗାଳିଗୁଲଜ କରାଯାଇଥିଲା । ଏହି ଘଟଣାରେ କୋହଲି, ସାମିଙ୍କୁ ସମର୍ଥନ ଜଣାଇ ତାଙ୍କୁ ଟ୍ରୋଲ୍ କରିଥିବା ଲୋକଙ୍କୁ ଭର୍ତ୍ସନା କରିଥିଲେ । ଏଥିପାଇଁ କୋହଲିଙ୍କୁ ମଧ୍ୟ କିଛି ୟୁଜର ସମାଲୋଚନା କରିଥିଲେ ।

Comments are closed.