କ୍ରିକେଟର ସବୁ ଫର୍ମାଟରୁ ଡି’ ଭିଲିୟର୍ସଙ୍କ ଅବସର, ଆଇପିଏଲରେ ବି ଆଉ ଖେଳିବେନି

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ୍ ଏବି ଡି’ ଭିଲିୟର୍ସ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଡି’ ଭିଲିୟର୍ସଙ୍କୁ ଆଉ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ | ଅବସର ନେବା ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ବିରାଟ କୋହଲିଙ୍କ ପୁରା ଦଳକୁ ଧନ୍ୟବାଦ ଜଣାଇଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି, ମୁଁ ଦୀର୍ଘ ସମୟ ଧରି ଆରସିବି ପାଇଁ ଖେଳିଛି। ଏହି ବର୍ଷ ମୁଁ ଫ୍ରାଞ୍ଚାଇଜ୍ ସହ ୧୧ ବର୍ଷ ପୂରଣ କରିଛି ଏବଂ ମୋ ସାଥୀ ଖେଳାଳିଙ୍କୁ ଛାଡ଼ିବା ଅତ୍ୟନ୍ତ ଦୁଃଖଦାୟକ | ଅବଶ୍ୟ, ଏହି ନିଷ୍ପତ୍ତିରେ ପହଞ୍ଚିବା ପାଇଁ ବହୁତ ସମୟ ଲାଗିଥିଲା । କିନ୍ତୁ ବହୁ ବିଚାର ବିମର୍ଶ ପରେ ମୁଁ ଅବସର ନେବାକୁ ଏବଂ ମୋ ପରିବାର ସହିତ ସମୟ ବିତାଇବାକୁ ନିଷ୍ପତ୍ତି ନେଇଛି |

ଆଇପିଏଲ୍ ୨୦୨୨ ପାଇଁ ଡିସେମ୍ବର/ଜାନୁୟାରୀରେ ମେଗା ନିଲାମ ଅନୁଷ୍ଠିତ ହେବ । ଏଭଳି ସ୍ଥିତିରେ ଡି’ ଭିଲିୟର୍ସଙ୍କ ଅବସର ଆରସିବି ପାଇଁ ଏକ ବଡ ଝଟକା | ଅବସର ନେବା ପୂର୍ବରୁ ଆଶା କରାଯାଉଥିଲା ଯେ ଫ୍ରାଞ୍ଚାଇଜ୍ ତାଙ୍କୁ ବଜାୟ ରଖିବ। ଡି’ ଭିଲିୟର୍ସ ଆଇପିଏଲରେ ୩୯.୭୧ ଆଭରେଜ୍ ସହ ୧୮୪ ମ୍ୟାଚ୍ ରେ ୫୧୬୨ ରନ୍ କରିଥିଲେ | ଏହି ସମୟ ମଧ୍ୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୫୧ ରୁ ଅଧିକ ଥିଲା । ଏହାଛଡ଼ା ସେ ୩ଟି ଶତକ ଏବଂ ୪୦ ଅର୍ଦ୍ଧଶତକ ହାସଲ କରିଥିଲେ ​​|

ଡି’ ଭିଲିୟର୍ସ ମେ ୨୦୧୮ରେ ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଇଥିଲେ | ୨୦୧୮ରେ ଡି’ ଭିଲିୟର୍ସ ଅବସର ଘୋଷଣା ବେଳେ କହିଥିଲେ, ସେ ବର୍ତ୍ତମାନ ବହୁତ ଥକି ଯାଇଛନ୍ତି ଏବଂ ବିଶ୍ରାମ ନେବାକୁ ଚାହୁଁଛନ୍ତି। ବିଶ୍ୱକପ୍ ୨୦୧୯ର ପ୍ରାୟ ଏକ ବର୍ଷ ପୂର୍ବରୁ ନିଆଯାଇଥିବା ତାଙ୍କର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ​​| ଅବଶ୍ୟ ଡି’ ଭିଲିୟର୍ସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ‌। କିନ୍ତୁ ସେତେବେଳେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ତାଙ୍କୁ ଏଥିପାଇଁ ସୁଯୋଗ ଦେଇନଥିଲା ‌ ।

ଡି ଭିଲିୟର୍ସ ଦକ୍ଷିଣ ଆଫ୍ରିକା ପାଇଁ ୧୧୪ ଟେଷ୍ଟ ମ୍ୟାଚର ୯୧ ଇନିଂସରେ ୫୦.୬୬ ଆଭରେଜ୍ ସହ ୮୭୬୫ ରନ୍ ସଂଗ୍ରହ କରିଥିଲେ | ଏଥିମଧ୍ୟରେ ୨୨ ଶତକ ଏବଂ ୪୬ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ | ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୭୮ | ଡି’ଭିଲିୟର୍ସ ୨୨୮ ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ | ଏହି ଫର୍ମାଟରେ ସେ ହାରାହାରି ୫୩.୫୦ରେ ୯,୫୭୭ ରନ୍ କରିଥିଲେ। ଦିନିକିଆରେ ତାଙ୍କ ନାମରେ ୨୫ ଶତକ ଏବଂ ୫୩ ଅର୍ଦ୍ଧ ଶତକ ସାମିଲ ରହିଛି | ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୭୬ ରନ୍ |

ଏହାଛଡ଼ା ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ ୭୮ ଟି-୨୦ ମ୍ୟାଚରେ ୧୬୭୨ ରନ୍ ସଂଗ୍ରହ କରିଥିଲେ | ଏହି ଫର୍ମାଟରେ ସେ ୨୬.୧୨ ଆଭରେଜ୍ ସହ ୧୦ଟି ଅର୍ଦ୍ଧଶତକ ହାସଲ କରିଥିଲେ | ୭୯ ରନ୍ ହେଉଛି ତାଙ୍କର ସର୍ବାଧିକ ସ୍କୋର |

Comments are closed.