ସମାନ ନାଗରିକ ସଂହିତା ଉପରେ ମତାମତ ଦାଖଲ ସମୟସୀମା ଜୁଲାଇ ୨୮ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବା‌‌ ସମାନ ନାଗରିକ ସଂହିତା ଉପରେ ଜନସାଧାରଣଙ୍କ ପାଇଁ ମତାମତ ଦାଖଲ ସମୟସୀମା ବୃଦ୍ଧି କରିଛନ୍ତି ବିଧି ଆୟୋଗ । ଏହି ସମୟସୀମା ଜୁଲାଇ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜୁନ୍ ୧୪ରେ ଆୟୋଗ ୟୁସିସି ଉପରେ ସଂଗଠନ ଏବଂ ସାଧାରଣ ଜନତାଙ୍କ ଠାରୁ ମତାମତ ଓ ପରାମର୍ଶ ଲୋଡିଥିଲେ।

ମତାମତ ପଠାଇବା ପାଇଁ ଏକ ମାସର ସମୟସୀମା ଶୁକ୍ରବାର ଶେଷ ହୋଇଥିଲା । ତେବେ ବିଧି ଆୟୋଗ ଏହି ସମୟସୀମା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ପ୍ରସଙ୍ଗରେ ଜନସାଧାରଣଙ୍କ ଜବରଦସ୍ତ ପ୍ରତିକ୍ରିୟା ଏବଂ ମତାମତ ଦାଖଲ କରିବା ସମୟସୀମା ବୃଦ୍ଧି କରିବାକୁ ବିଭିନ୍ନ ମହଲରୁ ଦାବି ଦୃଷ୍ଟିରୁ ସମୟସୀମା ଆଉ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି।

ଯେକୌଣସି ଆଗ୍ରହୀ ବ୍ୟକ୍ତି, ଅନୁଷ୍ଠାନ ଏବଂ ସଂସ୍ଥା ବିଧି ଆୟୋଗର ୱେବସାଇଟରେ ଜୁଲାଇ ୨୮ ପର୍ଯ୍ୟନ୍ତ ୟୁସିସି ଉପରେ ନିଜ ମତ ଦାଖଲ କରିପାରିବେ | ୟୁସିସି ଉପରେ ଏଯାବତ୍ ଡ଼ାକ ଦ୍ୱାରା ପଠାଯାଇଥିବା ମତାମତ ବ୍ୟତୀତ ୱେବସାଇଟରେ ୫୦ ଲକ୍ଷରୁ ଅଧିକ ପ୍ରତିକ୍ରିୟା ମିଳିଛି |

ୟୁସିସିର ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ନାଗରିକଙ୍କ ପାଇଁ ଏକ ସମାନ ଆଇନ ଲାଗୁ କରିବା । ୟୁସିସିର କାର୍ଯ୍ୟକାରିତା ବିଜେପିର ନିର୍ବାଚନୀ ଇସ୍ତାହାରର ଏକ ଅଂଶବିଶେଷ ଥିଲା । ଉତ୍ତରାଖଣ୍ଡ ମଧ୍ୟ ଆଗାମୀ ଦିନରେ ନିଜସ୍ଵ ୟୁସିସି ଆଣିବାକୁ ପ୍ରସ୍ତୁତି କରୁଛି ।

Comments are closed.