ଅମରନାଥ ବାଦଲ ଫଟା ବର୍ଷା ଘଟଣାରେ ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି, ଏବେ ବି ୪୦ ନିଖୋଜ

ଶ୍ରୀନଗର: ଦକ୍ଷିଣ କାଶ୍ମୀରରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବାଦଲ ଫଟା ବର୍ଷା ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଏବେ ବି ୪୦ ଜଣ ନିଖୋଜ ଅଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୬୫ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ହେଲ୍ପଲାଇନ ନମ୍ବର- ଏନଡିଆରଏଫ୍: ୦୧୧-୨୩୪୩୮୨୫୨ ୦୧୧-୨୩୪୩୮୨୫୩ କାଶ୍ମୀର ବିଭାଗୀୟ ହେଲ୍ପଲାଇନ: ୦୧୯୪-୨୪୯୬୨୪୦ ଅମରନାଥ ଟ୍ରଷ୍ଟ ବୋର୍ଡ ହେଲ୍ପଲାଇନ: ୦୧୯୪-୨୩୧୩୧୪୯ ଜାରି କରାଯାଇଛି । ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଏହି ଘଟଣା ବାଦଲ ଫାଟିବା କାରଣରୁ ଘଟିନାହିଁ ।

ପ୍ରତିବର୍ଷ ଆଇଏମଡି ଅମରନାଥ ଯାତ୍ରା ପାଇଁ ପାଣିପାଗ ସମ୍ବନ୍ଧରେ ଏକ ବିଶେଷ ଆଡଭାଇଜରୀ ପ୍ରଦାନ କରିଥାଏ। ଶୁକ୍ରବାର ଆଇଏମଡି ୟେଲୋ ଆଲର୍ଟ (ଅର୍ଥାତ୍ ନଜର ରଖନ୍ତୁ) ଜାରି କରିଥିଲା । ଅମରନାଥ ଯାତ୍ରା ୱେବସାଇଟରେ ଅପରାହ୍ନ ୪.୦୭ ପର୍ଯ୍ୟନ୍ତ ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଉଭୟ ପହଲଗାମ ଏବଂ ବାଲ୍ଟାଲ ପାର୍ଶ୍ୱ ମାର୍ଗ ପାଇଁ ‘ଆଂଶିକ ମେଘୁଆ’ ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଥିବା କୁହାଯାଇଥିଲା। ପବିତ୍ର ଗୁମ୍ଫାରେ ଥିବା ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର (ଏଡବ୍ଲୁଏସ୍) ତଥ୍ୟ ଅନୁଯାୟୀ ସକାଳ ୮:୩୦ ରୁ ଅପରାହ୍ନ ୪:୩୦ ପର୍ଯ୍ୟନ୍ତ ବର୍ଷା ହୋଇନଥିଲା।

ଜଣେ ଆଇଏମଡି ବୈଜ୍ଞାନିକ କହିଛନ୍ତି ଯେ ଶୁକ୍ରବାର ଦିନ ଅପରାହ୍ନ ୪:୩୦ ରୁ ୫:୩୦ ମଧ୍ୟରେ ମାତ୍ର ୩ ମିଲିମିଟର ବର୍ଷା ହୋଇଥିଲା । ତେବେ ସନ୍ଧ୍ୟା ୫:୩୦ ରୁ ୬:୩୦ ମଧ୍ୟରେ ୨୮ ମିଲିମିଟର ବର୍ଷା ହୋଇଥିଲା। ଆଇଏମଡି ଆକଳନ ଅନୁଯାୟୀ, ଯଦି ୧ ଘଣ୍ଟାରେ ୧୦୦ ମିଲିମିଟର କିମ୍ବା ଅଧିକ ବର୍ଷା ହୁଏ ତେବେ ଏହାକୁ ବାଦଲ ଫଟା ବର୍ଷା କୁହାଯାଏ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଗୁମ୍ଫାର ପ୍ରବେଶ ପଥଠାରୁ ପ୍ରାୟ ୨୦୦-୩୦୦ ମିଟର ଦୂରରେ ଦୁଇ ପାହାଡ଼ ପାର୍ଶ୍ଵରେ ପ୍ରବଳ ସୁଅରେ ପାଣି ସହ ମାଟି ଅତଡ଼ା ମାଡ଼ି ଆସୁଥିବା ଦେଖିବାକୁ ମିଳିଥିଲା ​​। ଅମରନାଥ ଗୁମ୍ଫା ପଛରେ ପ୍ରବଳ ବର୍ଷା କାରଣରୁ ଏପରି ଘଟିଥିଲା ବୋଲି ଅନୁମାନ କରାଯାଉଛି ।

Comments are closed.