ତୁର୍କୀ-ସିରିଆରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୮୭୦୦କୁ ବୃଦ୍ଧି

ଇସ୍ତାନବୁଲ: ତୁର୍କୀ ଏବଂ ସିରିଆରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏହି ଦୁଇ ଦେଶରେ ଏଯାବତ୍ ୮୭୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି |

ତୁର୍କୀର ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ସୂଚନା ଅନୁଯାୟୀ ଏହି ଭୟଙ୍କର ଭମିକମ୍ପରେ ଦେଶରେ ଏପର୍ଯ୍ୟନ୍ତ ୬୨୩୪ ଲୋକଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷରେ ସିରିଆ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ତାଙ୍କ ଦେଶରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା କେତେ ତାହା କହିବା ଏବେ କଷ୍ଟକର । ତେବେ ସ୍ଥାନୀୟ ଗଣମାଧ୍ୟମ ଏବଂ ଉଦ୍ଧାରକାରୀ ଦଳ କହିବା ଅନୁସାରେ ସିରିଆରେ ଏଯାବତ୍ ୨୫୦୦ ରୁ ଅଧିକ ଲୋକଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସରକାରୀ ଭାବେ ମୃତ୍ୟୁସଂଖ୍ୟା ୧୨୫୦ ବୋଲି ଦର୍ଶାଯାଇଛି।

ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିଆରେ ଭଗ୍ନାବଶେଷ ତଳେ ଦବି ହୋଇ ରହିଥିବା ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ ଜାରି ରହିଛି । ଭୂମିକମ୍ପ ପ୍ରଭାବିତ ପରିବାର ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି । ଭାରତ ସମେତ ବିଶ୍ବ ସମୁଦାୟ ଏହି ଦୁଇ ଭୂକମ୍ପ ପ୍ରଭାବିତ ଦେଶକୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସହାୟତା କରୁଛନ୍ତି ।

ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଆର୍ଦ୍ଦୋଆନ୍ ଦେଶର ୧୦ଟି ପ୍ରଦେଶରେ ତିନିମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

Comments are closed.