ଇନ୍ଦୋର ମନ୍ଦିର ଅଘଟଣ: ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ଇନ୍ଦୋର: ମଧ୍ୟ ପ୍ରଦେଶ ଇନ୍ଦୋରର ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରରେ ଗୁରୁବାର (ମାର୍ଚ୍ଚ ୩୦) କୂଅ ଛାତ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଏବେ ବି ଘଟଣାସ୍ଥଳରେ ତଲାସି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୮ ଜଣ ଲୋକଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ରାମନବମୀ ଉପଲକ୍ଷେ ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା । ତେବେ ମନ୍ଦିର ପରିସରରେ ଥିବା ଏକ କୂଅର ଛାତ ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୫୦ ଲୋକ ଏହା ଭିତରେ ଖସି ପଡ଼ିଥିଲେ।‌‌ଏହି କୂଅ ବହୁତ ପୁରୁଣା ଓ ଏହା ପ୍ରାୟ ୫୦-୬୦ ଫୁଟ ଗଭୀର ବୋଲି କୁହାଯାଇଛି ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଟଙ୍କା ଏବଂ ଏହି ଘଟଣାରେ ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ ମୃତକଙ୍କ ପରିବାର ପାଇଁ ୫-୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

Comments are closed.