ଗୁଜରାଟ: ତେଜସ୍ୱୀ ଯାଦବଙ୍କ ବିରୋଧରେ ମାନହାନି କେସ୍

ଅହମ୍ମଦାବାଦ: ଗୁଜରାଟୀ ଲୋକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ଅହମ୍ମଦାବାଦର ଏକ କୋର୍ଟରେ ଅପରାଧିକ ମାନହାନି ମାମଲା ରୁଜୁ ହୋଇଛି। ମେ ୧ରେ ଏହି ମାମଲାର ଶୁଣାଣି ହେବ ।

ମାର୍ଚ୍ଚ ୨୧ରେ ତେଜସ୍ୱୀ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ ଗୁଜରାଟୀଙ୍କୁ ‘ଠକ’ ବୋଲି କହିଥିଲେ । ସେ କହିଥିଲେ “ଦେଶରେ ସାମ୍ପ୍ରତିକ ପରିସ୍ଥିତିରେ କେବଳ ଗୁଜରାଟୀମାନେ ହିଁ ଠକ ହୋଇପାରିବେ। ସେମାନଙ୍କ ଅପରାଧକୁ କ୍ଷମା କରାଯାଇ ପାରିବ।”

ଅହମ୍ମଦାବାଦର ଜଣେ ସାମାଜିକ କର୍ମୀ ତଥା ବ୍ୟବସାୟୀ ହରେଶ ମେହେଟ୍ଟା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ଅହମ୍ମଦାବାଦର ଆଡିସନାଲ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏହି ମାମଲା ଦାୟର କରିଛନ୍ତି।

ଅଭିଯୋଗକାରୀ ତାଙ୍କ ପିଟିସନରେ କହିଛନ୍ତି ଯେ ତେଜସ୍ୱୀ ଯାଦବ ଗଣମାଧ୍ୟମ ସମ୍ମୁଖରେ ଏକ ବୟାନରେ ସମସ୍ତ ଗୁଜରାଟୀ ଲୋକଙ୍କୁ ଠକ ବୋଲି କହିଥିଲେ । ତାଙ୍କର ଏଭଳି ବୟାନ ସମସ୍ତ ଗୁଜରାଟୀଙ୍କ ପାଇଁ ଅପମାନ ।

ଏହା ପୂର୍ବରୁ ସୁରଟର ଏକ କୋର୍ଟ ‘ମୋଦୀ ସାଙ୍ଗିଆ’ ବୟାନ ପାଇଁ ଏକ ଅପରାଧିକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । କୋର୍ଟଙ୍କ ରାୟ ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।‌‌

ଏ‌ହାଛଡା ଅହମ୍ମଦାବାଦର ଏକ କୋର୍ଟ ଗୁଜରାଟ ବିଶ୍ୱବିଦ୍ୟାଳୟ ଉପରେ ନକରାତ୍ମକ ମନ୍ତବ୍ୟ ପାଇଁ ଏହି ଶିକ୍ଷାନୁଷ୍ଠାନ ଦ୍ୱାରା ଦାୟର ଅପରାଧିକ ମାନହାନୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ସମନ ଜାରି କରିଥିଲେ ।

Comments are closed.