ଦିଲ୍ଲୀରେ ବିପଜ୍ଜନକ ସ୍ତରରେ ବାୟୁ ପ୍ରଦୂଷଣ, ନିର୍ମାଣ କାର୍ଯ୍ୟ ଉପରେ କଟକଣା, ସ୍କୁଲ୍ ବନ୍ଦ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ଥିତି ଏପରି ହୋଇଛି ଯେ ଲୋକେ ନିଶ୍ୱାସ ନେବାକୁ କଷ୍ଟ ଅନୁଭବ କରୁଛନ୍ତି। ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ, ଫରିଦାବାଦ ଏବଂ ଗୁରୁଗ୍ରାମ ଠାରୁ ଆରମ୍ଭ କରି ସମଗ୍ର ଦିଲ୍ଲୀ ଏନସିଆର ଏକପ୍ରକାର ଗ୍ୟାସ୍ ଚାମ୍ବର ପାଲଟିଛି । ପ୍ରଦୂଷଣ ସ୍ଥିତି ଉଦବେଗଜନକ ହୋଇଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ପ୍ରାତଃ ଭ୍ରମଣରେ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଆଜି ସକାଳେ ଦିଲ୍ଲୀ ଏବଂ ନୋଏଡା ସମେତ ସମଗ୍ର ଏନସିଆରରେ ଧୂଆଁର ଘନ ଆସ୍ତରଣ ଦେଖିବାକୁ ମିଳିଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁତାବକ ‘ଅତି ଖରାପ’ ବର୍ଗରେ ପହଞ୍ଚି ଯାଇଛି ଦିଲ୍ଲୀର ବାୟୁ ମାନ ।

ଦିଲ୍ଲୀରେ ପ୍ରଦୂଷଣର ବିପଜ୍ଜନକ ସ୍ତରକୁ ଦୃଷ୍ଟିରେ ରଖି ପ୍ରାଇମେରୀ ସ୍କୁଲ ଦୁଇ ଦିନ ଛୁଟି ରଖିବାକୁ ନିଷ୍ପତ୍ତି ହୋଇଛି । ଏହି ସମୟରେ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ଏକ ଅଲଗା ଆଦେଶନାମାରେ କହିଛି ଯେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏହା ଅଧୀନ ସବୁ ସ୍କୁଲ ବନ୍ଦ ରହିବ। ତେବେ ନଭେମ୍ବର ୩ ଏବଂ ୪ରେ ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସ୍କୁଲରେ ଅନଲାଇନ୍ କ୍ଲାସ୍ କରାଯିବ। ପିଲାଙ୍କୁ ଛାଡ଼ି ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ସ୍କୁଲ୍ ଖୋଲା ରହିବ | ପ୍ରଦୂଷଣ ଦୃଷ୍ଟିରୁ ଜାତୀୟ ରାଜଧାନୀରେ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ କଟକଣା ଲଗାଯାଇଛି ।

Comments are closed.