ଦିଲ୍ଲୀ କ୍ୟାପିଟାଲ୍ସର ତୃତୀୟ ପରାଜୟ

ଗୁଆହାଟି: ଚଳିତ ଆଇପିଏଲରେ ଶନିବାର ଏଠାରେ ଖେଳାଯାଇଥିବା ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୫୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି । ଟୁର୍ଣ୍ଣାମେଣ୍ଟରେ ରୟାଲ୍ସର ଏହା ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଦିଲ୍ଲୀର ଲଗାତାର ତୃତୀୟ ପରାଜୟ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନର ଦୁଇ ଓପନର ପୁଣି ଚମକିଥିଲେ । ଯଶସ୍ୱୀ ଜୈସୱାଲ ଓ ଜୋସ ବଟଲରଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ଶେଷ ଆଡ଼କୁ ସିମ୍ରନ ହେଟମାୟରଙ୍କ ବିଗ୍ ହିଟିଂ ବଳରେ ରାଜସ୍ଥାନ ୪ ୱିକେଟ୍ ହରାଇ ୧୯୯ ରନ୍ କରିଥିଲା । ହେଲେ ଦିଲ୍ଳୀ ଏହି ଲକ୍ଷ୍ୟର ଜବାବରେ ୯ ୱିକେଟ୍ ହରାଇ ମାତ୍ର ୧୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା । କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣରଙ୍କୁ ଛାଡ଼ିଦେଲେ ଦଳର ଅନ୍ୟ ବ୍ୟାଟର ପୁଣିଥର ନିରାଶ କରିଥିଲେ । ୱାର୍ଣ୍ଣର ସର୍ବାଧିକ ୬୫ ର୍ କରିଥିବା ବେଳେ ଲଳିତ ଯାଦବ ୩୮ ରନ୍ ସଂଗ୍ରହ କରିଥିଲେ । ଏ ଦୁହିଁଙ୍କ ବ୍ୟତୀତ କେବଳ ରାଇଲି ରୁସୋ (୧୪) ହିଁ ଦୁଇ ଅଙ୍କ ଛୁଇଁପାରିଥିଲେ । ରାଜସ୍ଥାନ ତରଫରୁ ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୨ଟି ୱିକେଟ୍ ହାସଲ କରିଥିଲେ । ଚିତ୍ତାକର୍ଷକ ଅର୍ଦ୍ଧଶତକ ହାସଲ କରିଥିବା ଜୈସୱାଲ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ରାଜସ୍ଥାନ ପ୍ରଦତ୍ତ ୨୦୦ ରନର ବିଜୟ ଲକ୍ଷ୍ୟ ଜବାବରେ ଦିଲ୍ଲୀକୁ ପ୍ରଥମ ଓଭରରେ ହଁ ଝଟକା ଦେଇଥିଲେ ବୋଲ୍ଟ । ସେ ପ୍ରଥମେ ପୃଥ୍ୱୀ ଶ’ଙ୍କୁ ଆଉଟ୍ କରିଥିଲେ । ଶ’ଙ୍କ ଖରାପ ଫର୍ମ ଜାରି ରହିଥିଲା । ସେ ଖାତା ମଧ୍ୟ ଖୋଲିପାରିନଥିଲେ । ପୁଣି ସେହି ଓଭରର ଚତୁର୍ଥ ବଲରେ ମନୀଷ ପାଣ୍ଡେ (୦)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ଫେରାଇଥିଲେ ବୋଲ୍ଟ ।

ଏହି ଦୁଇଟି ପ୍ରାରମ୍ଭିକ ବଡ଼ ଝଟକା ପରେ ଦିଲ୍ଲୀକୁ ଏକ ଚମତ୍କାର ଆବଶ୍ୟକ ଥିଲା । ହେଲେ ୱାର୍ଣ୍ଣର ଏକାକି ଲଢିଥିଲେ ମଧ୍ୟ ତାଙ୍କୁ ଅନ୍ୟପଟୁ ସମର୍ଥନ ମିଳିନଥିଲା । ରୁସୋ (୧୪) ପୁଣି ଫେଲ୍ ମାରିଥିଲେ । ତାଙ୍କୁ ଅଶ୍ୱିନ ନିଜ ଶିକାର ବନାଇଥିଲେ । ୱାର୍ଣ୍ଣର ଓ ଲଳିିତ ଯାଦବ ଚତୁର୍ଥ ୱିକେଟରେ ୬୪ ରନର ଭାଗିଦାରୀ ସହ ଦିଲ୍ଲୀ ପାଇଁ ଆଶା ସଞ୍ଚାର କରିଥିଲେ । ଲଳିତ କିଛି ଆକର୍ଷଣୀୟ ସଟ୍ ଖେଳିଥିଲେ । ହେଲେ ତାଙ୍କୁ ଆଟ୍ କର ବୋଲ୍ଟ ଏହି ଯୋଡ଼ି ଭାଙ୍ଗିଥିଲେ । ଅକ୍ଷର ପଟେଲ (୨) ଓ ରୋଭମ୍ୟାନ୍ ପାୱେଲ (୨) ମଧ୍ୟ କିଛି କମାଲ କରିପାରିନଥିଲେ ।

ପୂର୍ବରୁ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନକୁ ଓପନିଂ ଯୋଡ଼ି ଯଶସ୍ୱୀ-ବଟଲର ପୁଣି ଥର ଧମାକାଦାର ଷ୍ଟାର୍ଟ ଦେଇଥିଲେ । ଦୁହେଁ ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ୱିିକେଟରେ ୫୧ ବଲରେ ୯୮ ରନ୍ ଯୋଗ କରିଥିଲେ । ଯଶସ୍ୱୀ ୩୧ଟି ବଲରେ ୧୧ଟି ଚୌକା ଓ ଗୋଟିଏ ଛକା ସହ ୬୦ ରନ୍ କରିଥିବା ବେଳେ ବଟଲର ୫୧ଟି ବଲରେ ୧୧ଟି ଚୌକା ଓ ଗୋଟିଏ ଛକା ସହ ୭୯ ରନ୍ କରିଥିଲେ । କ୍ୟାପଟେନ ସଞ୍ଜୁ ସାମସନ (୦) ଓ ଲୋକାଲ ବୟ ରିୟାନ ପରାଗ (୭) ଶସ୍ତାରେ ଆଉଟ୍ ହୋଇଥିଲେ । ତେବେ ଡେଥ ଓଭରରେ ହେଟମିୟର ବଡ଼ ସଟ୍ ଖେଳି ଦଳକୁ ୧୯୯ ରନରେ ପହଞ୍ଚାଇଥିଲେ । ହେଟମାୟର ୨୧ଟି ବଲରେ ଗୋଟିଏ ଚୌକା ଓ ୪ଟି ଛକା ସହ ଅପରାଜିତ ୩୯ ରନ୍ କରିଥିଲେ ।

Comments are closed.