ବ୍ରିଜ ଭୂଷଣଙ୍କ ବିରୋଧରେ ତଦନ୍ତରେ ବିଳମ୍ବ ନେଇ ରେସଲରଙ୍କ ପିଟିସନ, ଦିଲ୍ଲୀ ପୋଲିସକୁ ଷ୍ଟାଟସ୍ ରିପୋର୍ଟ ମାଗିଲେ କୋର୍ଟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତରେ ବିଳମ୍ବ ହେଉଥିବା ଦର୍ଶାଇ ବିକ୍ଷୋଭରତ ରେସଲରମାନେ ପୁଣି କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସେମାନଙ୍କ ପିଟିସନ ଆଧାରରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ବୁଧବାର ଦିଲ୍ଲୀ ପୋଲିସକୁ ଏହି ମାମଲାର ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି।

ରେସଲରମାନେ ନିଜ ଆବେଦନରେ ନାବାଳିକା କୁସ୍ତିଯୋଦ୍ଧା ଏବଂ ଅନ୍ୟମାନଙ୍କ ବୟାନ ଶୀଘ୍ର ରେକର୍ଡ କରିବାକୁ ଦାବି କରିଥିଲେ । ପୋଲିସ ତଦନ୍ତରେ ବିଳମ୍ବ କରୁଛି ଏବଂ ପୀଡ଼ିତା ରେସଲରଙ୍କ ବୟାନ କୋର୍ଟଙ୍କ ସମ୍ମୁଖରେ ରେକର୍ଡ କରାଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ ।

ଯୁକ୍ତି ଶୁଣିବା ପରେ କୋର୍ଟ ରେସଲରମାନଙ୍କ ଓକିଲଙ୍କୁ ପ୍ରଥମେ ଏଫ୍ଆଇଆର୍ କପି ଦାଖଲ କରିବାକୁ କହିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୨ରେ ହେବ ।

ଉଲ୍ଲେଖଯୋଗ୍ୟ, ବଜରଙ୍ଗ ପୁନିଆ, ବିନେଶ ଫୋଗାଟ, ସାକ୍ଷୀ ମଲିକଙ୍କ ସହ ଦେଶର ଖ୍ୟାତନାମା କୁସ୍ତିଯୋଦ୍ଧାମାନେ ଏପ୍ରିଲ୍ ୨୩ରୁ ଡବ୍ଲୁଏଫ୍ଆଇ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଜନ୍ତର ମନ୍ତରଠାରେ ଧାରଣାରେ ବସିଛନ୍ତି । ଜଣେ ନାବାଳିକା ରେସଲରଙ୍କ ସହ ୭ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗରେ ସେମାନେ ତାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୋଲିସ ୭ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ଏପ୍ରିଲ ୨୮ରେ ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଥିଲା।

Comments are closed.