କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା, ଦିଲ୍ଲୀରେ ୧୮-୬୦ ବର୍ଷର ଲୋକଙ୍କୁ ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସରକାର କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀର ସମସ୍ତ ଲୋକ ମାଗଣାରେ ବୁଷ୍ଟର ଡୋଜ୍ ପାଇବେ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଅନ୍ୟ ରାଜ୍ୟ ପରି ଦିଲ୍ଲୀରେ ମଧ୍ୟ ବୁଷ୍ଟର ଡୋଜ୍ କେବଳ ୬୦ ବର୍ଷରୁ ଅଧିକ ବୟସ୍କ ଲୋକ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ମାଗଣା ଥିଲା | କିନ୍ତୁ କେଜ୍ରିୱାଲ ସରକାରଙ୍କ ସଦ୍ୟତମ ନିଷ୍ପତ୍ତି ପରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମଧ୍ୟ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯିବ |

ପ୍ରାୟ ଦୁଇ ସପ୍ତାହ ତଳେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମଧ୍ୟ ବୁଷ୍ଟର ଡୋଜ୍ ଦିଆଯିବ। ଏପ୍ରିଲ ୧୦ ରୁ ଏହି ବୟସ ବର୍ଗର ଲୋକଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ ଆରମ୍ଭ ହୋଇଛି । ତେବେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକ କେବଳ ଘରୋଇ ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ ପାଇପାରିବେ ଏବଂ ଏଥିପାଇଁ ଟଙ୍କା ଦେବାକୁ ପଡିବ ।

କେନ୍ଦ୍ର ସରକାରଙ୍କ ଉଦ୍ୟମରେ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ ନିଜ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନର ଦର ଡୋଜ୍ ପିଛା ୨୨୫ ଟଙ୍କାକୁ ହ୍ରାସ କରିଛନ୍ତି। ଏହାଛଡ଼ା କେନ୍ଦ୍ର ସରକାର କହିଥିଲେ ଯେ କୌଣସି ଘରୋଇ ହସ୍ପିଟାଲ୍ ଟିକା ପାଇଁ ୧୫୦ ରୁ ଅଧିକ ଟଙ୍କା ସର୍ଭିସ୍ ଚାର୍ଜ ଆଦାୟ କରିପାରିବ ନାହିଁ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବାନୁସାରେ, କେବଳ ୧୮ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ଅଧିକ ବୟସର ସେହି ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ ଯେଉଁମାନେ ଦ୍ୱିତୀୟ ଡୋଜ ନେବାର ନଅ ମାସ ପୂରଣ କରିଛନ୍ତି | ସରକାର ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ସରକାରୀ ଟିକାକରଣ କେନ୍ଦ୍ରରେ ଲୋକମାନେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ପୂର୍ବଭଳି ମାଗଣା ପାଇବେ।

ସର୍ବପ୍ରଥମେ ଡିସେମ୍ବର ୨୫, ୨୦୨୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍ ଘୋଷଣା କରିଥିଲେ।

Comments are closed.