ଦିଲ୍ଲୀରେ ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ନିୟମ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଜାତୀୟ ରାଜଧାନୀରେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବେ ନାହିଁ । ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି ।

ଏ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଗତକାଲି ରାତିରୁ ଦିଲ୍ଲୀରେ ବର୍ଷା ଯୋଗୁଁ ପ୍ରଦୂଷଣ ସ୍ଥିତି ସୁଧୁରିଛି। ଦିଲ୍ଲୀ ପ୍ରଦୂଷଣ ‘ଅତି ଗମ୍ଭୀର’ ବର୍ଗରେ ପହଞ୍ଚି ଯାଇଥିଲା। ହେଲେ ବର୍ଷା ଯୋଗୁଁ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୫୦ ରୁ ୩୦୦କୁ ଖସିଛି। ”

ସ୍ଥିତି ଆହୁରି ସୁଧୁରିବ। ଏହାକୁ ଦୃଷ୍ଟିରେ ରଖି ସରକାର ନଭେମ୍ବର ୧୩ ରୁ ୨୦ ପର୍ଯ୍ୟନ୍ତ ଯେଉଁ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ ତାହାକୁ ସ୍ଥଗିତ ରଖାଯାଇଛି । ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତିର ସମୀକ୍ଷା କରାଯିବ ବୋଲି ଗୋପାଳ ରାୟ କହିଛନ୍ତି।

ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ କହିଥିଲେ ଆମ୍ ଆଦମୀ ପାର୍ଟି ସରକାର ନିଜ ଦାୟିତ୍ଵରୁ ହାତ ଝାଡିବାକୁ ଚେଷ୍ଟା କରୁଛନ୍ତି ଓ ସବୁ ନିଷ୍ପତ୍ତି କୋର୍ଟ ଉପରେ ଛାଡ଼ିବାକୁ ଚାହୁଁଛନ୍ତି।

ପ୍ରଦୂଷଣ ରୋକିବାରେ ଯୁଗ୍ମ-ଅଯୁଗ୍ମ ଯୋଜନାର ସେଭଳି ପ୍ରଭାବ ନାହିଁ ବୋଲି କହିଥିଲେ କୋର୍ଟ। ହେଲେ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ ।

Comments are closed.