ବିରୋଧୀ ମେଣ୍ଟର ‘ଇଣ୍ଡିଆ’ ନାମ ବ୍ୟବହାର ଉପରେ କେନ୍ଦ୍ର, ନିର୍ବାଚନ ଆୟୋଗଙ୍କ ଜବାବ ଲୋଡ଼ିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ‘ଇଣ୍ଡିଆ’ ନାମର ବ୍ୟବହାରକୁ ନେଇ ବିରୋଧୀ ମେଣ୍ଟକୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ଆଶ୍ବସ୍ତି । ଏହି ନାମ ବ୍ୟବହାର ଉପରେ ତୁରନ୍ତ ରୋକ୍ ଲଗାଇବାକୁ ହାଇକୋର୍ଟ ମନା କରି ଦେଇଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାର, ନିର୍ବାଚନ ଆୟୋଗ ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରି ଜବାବ ଲୋଡିଛନ୍ତି ହାଇକୋର୍ଟ ।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି, ଅନ୍ୟ ପକ୍ଷର ଶୁଣାଣି ନକରି କୋର୍ଟ କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୧ରେ ହେବ।

ବିରୋଧୀ ମେଣ୍ଟକୁ ‘ଇଣ୍ଡିଆ’ ନାମର ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଗିରିଶ ଭରଦ୍ୱାଜ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଆବେଦନକାରୀ କହିଥିଲେ ଯେ ଏ ବାବଦରେ ସେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । କିନ୍ତୁ ନିର୍ବାଚନ ଆୟୋଗଙ୍କ ଠାରୁ କୌଣସି ଉତ୍ତର ନ ମିଳିବାରୁ ସେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ଆବେଦନକାରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି ଯେ ଏହି ନେତାମାନେ ସେମାନଙ୍କର ମେଣ୍ଟକୁ ‘ଇଣ୍ଡିଆ’ ନାମରେ ନାମିତ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ବୟାନ ଜନସାଧାରଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଆଗାମୀ ନିର୍ବାଚନରେ ‘ଏନଡିଏ’ ଏବଂ ‘ଇଣ୍ଡିଆ’ ମଧ୍ୟରେ ଲଢ଼େଇ ହେବ ବୋଲି ରାହୁଲ କହିଛନ୍ତି।

ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ‘ଇଣ୍ଡିଆ’ ନାମ ବ୍ୟବହାର କରି ବିରୋଧୀ ଆଗାମୀ ଲୋକସଭା ନିର୍ବାଚନରେ ଅନୁଚିତ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ଏପରି କରିବା ଦ୍ୱାରା ରାଜନୈତିକ ହିଂସା ଘଟିପାରେ ।

ଆବେଦନକାରୀ କହିଛନ୍ତି, ‘ଇଣ୍ଡିଆ’ ‘ ହେଉଛି ଜାତୀୟ ପ୍ରତୀକର ଅଂଶବିଶେଷ । ଏହାକୁ କୌଣସି ବ୍ୟବସାୟିକ କିମ୍ବା ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ | ରାଜନୈତିକ ଦଳଙ୍କ ଏପରି ସ୍ବାର୍ଥ ନିହିତ କାର୍ଯ୍ୟ ଆଗାମୀ ଲୋକସଭା ନିର୍ବାଚନରେ ଶାନ୍ତିପୂର୍ଣ୍ଣ, ସ୍ୱଚ୍ଛ ଏବଂ ନିରପେକ୍ଷ ମତଦାନ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଏହା ହିଂସାର କାରଣ ହୋଇପାରେ ଓ ଦେଶର ଆଇନ ଶୃଙ୍ଖଳା ମଧ୍ୟ ପ୍ରଭାବିତ ହୋଇପାରେ।

Comments are closed.