ବେଆଇନ ବାର୍ ବିବାଦ: ସ୍ମୃତି ଇରାନୀଙ୍କ ପିଟିସନ ଉପରେ କଂଗ୍ରେସ ନେତାଙ୍କୁ ହାଇକୋର୍ଟଙ୍କ ନୋଟିସ, ସୋସିଆଲ ମିଡ଼ିଆ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବେଆଇନ ବାର ବିବାଦ ମାମଲାରେ ଦିଲ୍ଲୀ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପିଟିସନ ଉପରେ ହାଇକୋର୍ଟ କଂଗ୍ରେସ ନେତା ଜୟରାମ ରମେଶ, ପୱନ ଖେରା ଏବଂ ନେଟ୍ଟା ଡି’ସୁଜାଙ୍କୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଟ୍ୱିଟ୍, ରିଟ୍ୱିଟ, ପୋଷ୍ଟ, ଭିଡିଓ ଏବଂ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ପରେ ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି ଯେ ଆମେ କୋର୍ଟରେ ତଥ୍ୟ ଉପସ୍ଥାପନ କରିବୁ ଏବଂ ସ୍ମୃତି ଇରାନୀଙ୍କ ନୋଟିସକୁ ଚ୍ୟାଲେଞ୍ଜ କରିବୁ।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରବିବାର ଏହି ତିନି କଂଗ୍ରେସ ନେତାଙ୍କୁ କୋର୍ଟ ନୋଟିସ ପଠାଇଥିଲେ । ଏହି ନୋଟିସରେ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା ସହ ତାଙ୍କ ୧୮ ବର୍ଷର ଝିଅ ଜଏଶ ଇରାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରତ୍ୟାହାର ପାଇଁ କୁହାଯାଇଛି।

ଶନିବାର କଂଗ୍ରେସ ନେତା ଜୟରାମ ରମେଶ, ପୱନ ଖେରା ଏବଂ ମହିଲା କଂଗ୍ରେସ ମୁଖ୍ୟ ନେଟ୍ଟା ଡି’ସୁଜା ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସ୍ମୃତି ଇରାନୀଙ୍କ ପରିବାର ବିରୋଧରେ ଗୁରୁତର ଅଭିଯୋଗ ଆଣି ତାଙ୍କୁ କେନ୍ଦ୍ର କ୍ୟାବିନେଟରୁ ବରଖାସ୍ତ କରିବାକୁ ଦାବି କରାଯାଇଥିଲା। କଂଗ୍ରେସ ଅଭିଯୋଗ କରିଥିଲା ଯେ ସ୍ମୃତି ଇରାନୀଙ୍କ ଝିଅ ଜଏଶ ଗୋଆରେ ବେଆଇନ ବାର୍ ଚଳାଉଛନ୍ତି । ଏହି ବାର୍ ନକଲି ଲାଇସେନ୍ସରେ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି ।

Comments are closed.