ବୈବାହିକ ବଳାତ୍କାର ଅପରାଧ କି ନୁହେଁ ଏକମତ ହୋଇପାରିଲେନି ହାଇକୋର୍ଟ ଜଜ୍, ସୁପ୍ରିମକୋର୍ଟକୁ ଗଲା ମାମଲା

ନୂଆଦିଲ୍ଲୀ: ପତ୍ନୀଙ୍କ ସହ ଜୋର୍ ଜବରଦସ୍ତି ଶାରୀରିକ ସମ୍ପର୍କ ବା ବୈବାହିକ ବଳାତ୍କାର ଅପରାଧ କି ନୁହେଁ ତାହା ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା। ହାଇକୋର୍ଟର ବିଚାରପତି ମାନଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ସହମତି ପ୍ରକାଶ ପାଇନାହିଁ। ଏହି କାରଣରୁ ବର୍ତ୍ତମାନ ମାମଲା ତିନିଜଣିଆ ଖଣ୍ଡପୀଠକୁ ପଠାଯାଇଛି। ଏହା ସହିତ ଏହି ମାମଲା ଏବେ ସୁପ୍ରିମକୋର୍ଟକୁ ଯିବ।

ବୈବାହିକ ବଳାତ୍କାର ମାମଲାର ଶୁଣାଣି କରୁଥିବା ଜଷ୍ଟିସ ରାଜୀବ ଶକଧର ଏବଂ ଜଷ୍ଟିସ ହରିଶଙ୍କରଙ୍କ ଏ ସମ୍ପର୍କିତ ଆଇନର ଧାରାକୁ ହଟାଇବା ସମ୍ପର୍କରେ ଭିନ୍ନ ମତ ପୋଷଣ କରିଥିଲେ । ତେଣୁ ଏହାକୁ ଏକ ବୃହତର ବେଞ୍ଚକୁ ରେଫର୍ କରାଯାଇଛି | ଏହାଛଡ଼ା ଏନେଇ ଆବେଦନକାରୀଙ୍କୁ ମଧ୍ୟ ହାଇକୋର୍ଟ ବେଞ୍ଚ ସ୍ୱାଧୀନତା ଦେଇଛନ୍ତି।

ସୂଚନାନୁସାରେ, ଜଷ୍ଟିସ ରାଜୀବ ବୈବାହିକ ବଳାତ୍କାରକୁ ଅପରାଧ ବର୍ଗରେ ରଖିବା ସପକ୍ଷରେ ଥିଲେ। ଅନ୍ୟପକ୍ଷରେ ଜଷ୍ଟିସ ହରିଶଙ୍କର ଏହା ଉପରେ ଏକମତ ହୋଇନଥିଲେ। ଜଷ୍ଟିସ ରାଜୀବ କହିଛନ୍ତି ଯେ ପତ୍ନୀଙ୍କ ଇଚ୍ଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିବା ପାଇଁ ଦୋଷୀ ସ୍ୱାମୀଙ୍କ ବିରୋଧରେ ଅପରାଧିକ ମାମଲା ହେବା ଉଚିତ । କିନ୍ତୁ ଏଥିରେ ହରିଶଙ୍କର ରାଜି ହୋଇନଥିଲେ ।

ବୈବାହିକ ବଳାତ୍କାରକୁ ଅପରାଧ ବୋଲି ଘୋଷଣା କରାଯିବ କି ନାହିଁ ତାହା ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ରାୟ ଶୁଣାଇବାର ଥିଲା। ଏହି ମାମଲାରେ କେନ୍ଦ୍ର ସରକାର ଉଦ୍ଦିଷ୍ଟ ଆଇନକୁ ସମର୍ଥନ କରିଥିଲେ, କିନ୍ତୁ ପରେ ଏହି ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଥିଲେ ଏବଂ ଏଥିରେ ପରିବର୍ତ୍ତନ ଆଣିବାକୁ କହିଥିଲେ। ଫେବୃଆରୀ ୨୧ରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ ।

Comments are closed.