ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଗୁଜରାଟ କୋର୍ଟରୁ ଝଟକା, ଅପରାଧିକ ମାମଲା ବନ୍ଦ କରିବାକୁ ଆବେଦନ ଖାରଜ

ଅହମ୍ମଦାବାଦ: ସାମାଜିକ କର୍ମୀ ମେଧା ପାଟକରଙ୍କ ଉପରେ ଆକ୍ରମଣ ନେଇ ୨୧ ବର୍ଷ ତଳର ଏକ ମାମଲାରେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଲାଗିଛି ଝଟକା । ସାମ୍ବିଧାନିକ ପଦରେ ଥିବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ ଅପରାଧିକ ମାମଲାର ଶୁଣାଣି ବନ୍ଦ କରିବାକୁ ସେ କରିଥିବା ଆବେଦନକୁ ଅହମ୍ମଦାବାଦର ଏକ କୋର୍ଟ ଖାରଜ କରିଦେଇଛନ୍ତି ।

ଏପ୍ରିଲ ୨୦୦୨ର ଉକ୍ତ ମାମଲାରେ ସକ୍ସେନାଙ୍କ ବିରୋଧରେ ଶୁଣାଣି ଉପରେ ରୋକ୍ ଲଗାଇବାକୁ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ପିସି ଗୋସ୍ୱାମୀଙ୍କ କୋର୍ଟ ମନା କରିଦେଇଥିଲେ।

୨୦୦୨ରେ ଗାନ୍ଧୀ ଆଶ୍ରମରେ ଆୟୋଜିତ ଏକ ଶାନ୍ତି ସଭାରେ ମେଧା ପାଟକରଙ୍କୁ ସକ୍ସେନା ଏବଂ ଅନ୍ୟ ତିନି ଅଭିଯୁକ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ଗୁଜରାଟ ବିଜେପି ବିଧାୟକ ଏବଂ ଜଣେ କଂଗ୍ରେସ ନେତା ଅଛନ୍ତି ।

ପାଟକରଙ୍କ ଓକିଲ ଜିଏମ୍ ପରମାର କହିଛନ୍ତି ଯେ ତିନି ଅଭିଯୁକ୍ତ – ଏଲିସବ୍ରିଜର ବିଧାୟକ ଅମିତ ଶାହା, ଭେଜଲପୁର ବିଧାୟକ ଅମିତ ଠାକର (ଉଭୟ ବିଜେପିର) ଏବଂ କଂଗ୍ରେସ ନେତା ରୋହିତ ପଟେଲଙ୍କ ଜେରା ଶେଷ ହୋଇଛି। ଯେତେବେଳେ ଜେରା ପାଇଁ ସକ୍ସେନାଙ୍କ ପାଳି ଆସିଲା, ତାଙ୍କ ଓକିଲ ତାଙ୍କ ବିରୋଧରେ ଶୁଣାଣି ବନ୍ଦ ରଖିବାକୁ ପିଟିସନ ଦାୟର କରିଥିଲେ ।

ରାଜ୍ୟ ସରକାର ସେହି ଆବେଦନକୁ ବିରୋଧ କରିନଥିଲେ।ତେଣୁ ଆମେ ଅଭିଯୋଗକାରୀଙ୍କ ତରଫରୁ ଏକ ଜବାବ ଦାଖଲ କରିଥିଲୁ। ମେ ୮ରେ ସକ୍ସେନାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ ବୋଲି ସେ କହିଛନ୍ତି।

ଅହମ୍ମଦାବାଦର କୋର୍ଟ ତାଙ୍କ ଆବେଦନ ଖାରଜ କରିବା ପରେ ଆମ୍ ଆଦମୀ ପାର୍ଟି (ଆପ୍) ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଟାର୍ଗେଟ୍ କରିଛି ‌‌। ଆପ୍ ନେତା ସୌରଭ ଭରଦ୍ୱାଜ ୨୧ ବର୍ଷ ପୁରୁଣା ଉକ୍ତ ଘଟଣାର ଭିଡ଼ିଓ ସେୟାର କରି କହିଛନ୍ତି, ଦିଲ୍ଲୀ ଉପରାଜ୍ୟପାଳ ସକ୍ସେନାଙ୍କ ଅତୀତ ସମସ୍ତେ ଜାଣିଛନ୍ତି ।

Comments are closed.