ପ୍ରଫେଟ୍ ମହମ୍ମଦ ବିବାଦ: ନୁପୂର ଶର୍ମାଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୁପୂର ଶର୍ମାଙ୍କ ସମେତ ୯ ଜଣଙ୍କ ବିରୋଧରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମାମଲା ରୁଜୁ କରିଛି। ମାମଲା ସ୍ପେଶାଲ୍ ସେଲର ସାଇବର ୟୁନିଟ୍ ରୁଜୁ କରିଛି | ଏହି ସମସ୍ତ ବ୍ୟକ୍ତି ବିଭିନ୍ନ ଧର୍ମ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେଇ ଦେଶର ଶାନ୍ତି ଓ ସୌହାର୍ଦ୍ଦ୍ୟ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।

ନୁପୁର ଶର୍ମାଙ୍କ ବ୍ୟତୀତ ସାଇବର ୟୁନିଟ୍ ପୂର୍ବତନ ବିଜେପି ମୁଖପାତ୍ର ନବୀନ କୁମାର ଜିନ୍ଦଲ, ଶାଦାବ ଚୌହାନ, ସବା ନକବୀ, ମୌଲାନା ମୁଫତି ନଦୀମ, ଅବଦୁଲ ରେହମାନ, ଗୁଲଜାର ଅନସାରୀ, ଅନିଲ କୁମାର ମୀନା ଏବଂ ପୂଜା ଶକୁନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି। ମାମଲା ପଞ୍ଜିକରଣ କରିବା ପରେ ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ଉଲ୍ଲେଖଯୋଗ୍ୟ, ନୁପୂର ଶର୍ମା ଏକ ଟିଭି ବିତର୍କରେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏପରିକି ଆରବ ଦେଶଗୁଡ଼ିକ ମଧ୍ୟ ନୁପୂର ଶର୍ମାଙ୍କ ମନ୍ତବ୍ୟକୁ ନିନ୍ଦା କରି ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରିଥିଲେ। ଏହା ଏକ ଅନ୍ତର୍ଜାତୀୟ ବିବାଦ ପାଲଟିବା ପରେ ବିଜେପି ନୁପୂର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ନବୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ଦଳରୁ ବହିଷ୍କୃତ କରାଯାଇଥିଲା ।

Comments are closed.