ବ୍ରଜଭୂଷଣ ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀ ପୋଲିସ ଆଜି ରାଉଜ୍ ଆଭେନ୍ୟୁ କୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି। ଷ୍ଟାଟସ୍ ରିପୋର୍ଟର ଏକ କପି ମହିଳା କୁସ୍ତିଯୋଦ୍ଧାଙ୍କୁ ଦେବାକୁ କୋର୍ଟ କହିଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ କ’ଣ ଆକ୍ସନ ନେଇଛି ତାହା ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବ୍ରଜଭୂଷଣଙ୍କ ବିରୋଧରେ ତଦନ୍ତରେ ବିଳମ୍ବ ଦର୍ଶାଇ ମହିଳା ରେସଲରମାନେ କୋର୍ଟ ଯାଇଥିଲେ । ଦିଲ୍ଲୀ ପୋଲିସ ସେମାନଙ୍କ ବୟାନ ରେକର୍ଡ କରୁନାହିଁ ବୋଲି ମଧ୍ୟ ସେମାନେ ଅଭିଯୋଗ କରିଥିଲେ । ରେସଲରଙ୍କ ପିଟିସନ୍ ଆଧାରରେ କୋର୍ଟ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ପୋଲିସକୁ କହିଥିଲେ।

ଦିଲ୍ଲୀ ପୋଲିସ କୋର୍ଟଙ୍କୁ କହିଛି ଯେ ନାବାଳିକା ରେସଲରଙ୍କ ବୟାନ ସିଆରପିସି ଧାରା ୧୬୪ ଅନୁଯାୟୀ କୋର୍ଟରେ ରେକର୍ଡ କରାଯାଇଛି । ଶୀଘ୍ର ଅନ୍ୟ ମହିଳା ରେସଲରଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ । ବ୍ରଜଭୂଷଣଙ୍କ ବିରୋଧରେ ମାମଲାର ତଦନ୍ତ ପାଇଁ ଏକ ଏସ୍ଆଇଟି ଗଠନ କରାଯାଇଛି । ଏହି ଟିମରେ ୪ ଜଣ ମହିଳା ଅଧିକାରୀ ଅଛନ୍ତି ‌‌। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ନେଇ ବ୍ରଜଭୂଷଣଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିବା ଦିଲ୍ଲୀ ପୋଲିସ କହିଛି ।

Comments are closed.