ସଂସଦ ସୁରକ୍ଷା ଭଙ୍ଗ ମାମଲା: ନୀଲମଙ୍କ ଘରେ ଦିଲ୍ଲୀ ପୋଲିସର ତଲାସି, ଅନେକ ଦସ୍ତାବିଜ ଜବତ

ଜିନ୍ଦ: ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ନୀଲମ ଦେବୀଙ୍କ ହରିୟଣା ଜିନ୍ଦ ସ୍ଥିତ ଘରେ ଦିଲ୍ଲୀ ପୋଲିସ ଟିମ୍ ତଲାସି କରିଛି । ପୋଲିସ ତାଙ୍କ ବ୍ୟାଙ୍କ ପାସବୁକ୍ ସହ ଅନ୍ୟ କିଛି ଦସ୍ତାବିଜ୍ ଜବତ କରିଛି।

ଜିନ୍ଦ ଜିଲ୍ଲାର ଘାସୋ ଖୁର୍ଦ୍ ଗାଁ ନିବାସୀ ନୀଲମଙ୍କ ଭାଇ ରାମନିବାସ ସୋମବାର କହିଛନ୍ତି, ଡିସିପିଙ୍କ ନେତୃତ୍ୱରେ ଦିଲ୍ଲୀ ପୋଲିସର ଏକ ଟିମ୍ ରବିବାର ରାତି ପ୍ରାୟ ୧୧ଟାରେ ତାଙ୍କ ଘରେ ପହଞ୍ଚି ପ୍ରାୟ ଦେଢ ଘଣ୍ଟା ଖୋଜାଖୋଜି କରିଥିଲେ।

ସେ କହିଛନ୍ତି, ପୋଲିସ ନୀଲମଙ୍କ ତିନୋଟି ବ୍ୟାଙ୍କ ପାସବୁକ୍ ଓ ଏଟିଏମ୍ କାର୍ଡ ଜବତ କରିଛି। ପୋଲିସ ଟିମ୍ ମଧ୍ୟ କିଛି ବହି ଓ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ତାଙ୍କ ପରିଚୟ ପତ୍ର ମଧ୍ୟ ନେଇଯାଇଥିଲା।

ସେ କହିଛନ୍ତି, ଦିଲ୍ଲୀ ପୋଲିସ ସହିତ ସ୍ଥାନୀୟ ପୋଲିସ ମଧ୍ୟ ଆସିଥିଲା । ନୀଲମଙ୍କ ରୁମ୍ ବ୍ୟତୀତ ସେମାନେ ଅନ୍ୟ ରୁମରେ ମଧ୍ୟ ତଲାସି କରିଥିଲେ।

ଗତକାଲି ରାତିରେ ଦିଲ୍ଲୀ ପୋଲିସ ଟିମ୍ ନୀଲମଙ୍କ ଘରେ ପହଞ୍ଚି ତଲାସି କରିଥିବା ଜିନ୍ଦ ଏସପି ସୁମିତ କୁମାର ମଧ୍ୟ ସ୍ପଷ୍ଟ କରିଛନ୍ତି । ହରିୟାଣା ଲୋକସେବା ଆୟୋଗ ପରୀକ୍ଷା ପାଇଁ ନୀଲମ ହିସାରରେ ରହି ପ୍ରସ୍ତୁତି କରୁଥିଲେ।

ନୀଲମଙ୍କ ବାପା କୋହର ସିଂ ଜଣେ ମିଠା କାରିଗର । ନୀଲମଙ୍କ ପରିବାରରେ ତିନି ଭଉଣୀ, ଦୁଇ ଭାଇ ଏବଂ ବାପାମା ଅଛନ୍ତି।

ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ବର୍ତ୍ତମାନ ସୁଦ୍ଧା ନୀଲମ, ସାଗର ଶର୍ମା, ମନୋରଞ୍ଜନ ଡି, ଅମୋଲ ସିନ୍ଦେ, ଲଳିତ ଝା ଏବଂ ମହେଶ କୁମାଓ୍ବତଙ୍କ ସହ ମୋଟ ୬ ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତ ସାଗର ଶର୍ମା ଏବଂ ମନୋରଞ୍ଜନ ଡି ପ୍ରଶ୍ନକାଳ ସମୟରେ ଦର୍ଶକ ଗ୍ୟାଲେରୀରୁ ଲୋକସଭାକୁ ଡେଇଁଥିଲେ। ଏହାପରେ ଦୁହେଁ ଜୋତାରେ ଲୁଚାଇ ଆଣିଥିବା ଏକ ‘ଗ୍ୟାସ୍ କ୍ୟାନ୍’ରୁ ହଳଦିଆ ଧୂଆଁ ସ୍ପ୍ରେ କରି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ ‌। ପରେ କିଛି ସାଂସଦ ସେମାନଙ୍କୁ କାବୁ କରି ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ।

ସେତିକିବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଅମୋଲ ସିନ୍ଦେ ଓ ନୀଲମ ଦେବୀ ସଂସଦ ଭବନ ବାହାରେ ରଙ୍ଗୀନ ଧୂଆଁ ସ୍ପ୍ରେ କରି ‘ଏକଛତ୍ରବାଦୀ ଶାସନ ଚଳିବ ନାହିଁ’ ସ୍ଲୋଗାନ ଦେଇଥିଲେ ।

Comments are closed.