ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଚତୁର୍ଥ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ଜଣେ ୩୧ ବର୍ଷୀୟା ନାଇଜେରିଆ ମହିଳା ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ପ୍ରଥମଥର ଜଣେ ମହିଳା ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ଦିଲ୍ଲୀରେ ମୋଟ ସଂକ୍ରମିତ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି। ଦେଶରେ ଏହା ମଙ୍କିପକ୍ସର ନବମ ମାମଲା ।
ମଙ୍କିପକ୍ସ ରୋଗୀଙ୍କୁ ଜ୍ୱର ହେବା ସହ ହାତରେ ଫୋଟକା ଭଳି ହୋଇଯାଏ । ସୂତ୍ରରୁ ପ୍ରକାଶ ଯେ ଆକ୍ରାନ୍ତ ନାଇଜେରୀୟ ମହିଳାଙ୍କୁ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନମୁନା ପରୀକ୍ଷାରୁ ମହିଳାଙ୍କ ଠାରେ ମଙ୍କିପକ୍ସ ସଂକ୍ରମଣ ନିଶ୍ଚିତ ହୋଇଛି। ତେବେ ନିକଟରେ ସେ ବିଦେଶ ଯାତ୍ରା କରିଥିବା ବିଷୟରେ କୌଣସି ସୂଚନା ନାହିଁ। ସୂଚନାଯୋଗ୍ୟ, ଦିଲ୍ଲୀର ପ୍ରଥମ ମଙ୍କିପକ୍ସ ରୋଗୀଙ୍କୁ ସୋମବାର ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଏଯାବତ୍ ଚିହ୍ନଟ ଚାରି ମଙ୍କିପକ୍ସ ଆକ୍ରାନ୍ତଙ୍କ ମଧ୍ୟରୁ ତିନି ଜଣ ହେଉଛନ୍ତି ନାଇଜେରିଆ ନାଗରିକ । ଏହା ପୂର୍ବରୁ ନାଇଜେରିଆର ଦୁଇ ଜଣ ପୁରୁଷ ବି ଏହି ଭାଇରସରେ ସଂକ୍ରମିତ ହୋଇଥିଲେ ।
Comments are closed.