ପ୍ୟାରିସ୍-ଦିଲ୍ଲୀ ବିମାନରେ ଦୁଇଟି ଅସଦାଚରଣ ଘଟଣା ନେଇ ଏୟାର ଇଣ୍ଡିଆକୁ ଡିଜିସିଏର କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ: ଗତ ମାସରେ ଦୁଇଟି ଅସଦାଚରଣ ଘଟଣାକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ସୋମବାର ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ପ୍ରଥମ ଘଟଣାରେ ଜଣେ ବ୍ୟକ୍ତି ଶୌଚାଳୟରେ ଧୂମପାନ କରିଥିଲେ ଏବଂ ବିମାନ କ୍ରୁ ସଦସ୍ୟଙ୍କ କଥା ଶୁଣି ନଥିଲେ। ଦ୍ୱିତୀୟ ଘଟଣାରେ, ଅନ୍ୟ ଜଣେ ଯାତ୍ରୀ ଶୌଚାଳୟ ଯାଇଥିବା ଜଣେ ମହିଳା ସହଯାତ୍ରୀଙ୍କ ଆସନରେ ପଡ଼ିଥିବା କମ୍ବଳରେ ପରିସ୍ରା କରିଥିଲେ । ଉଭୟ ଘଟଣା ଡିସେମ୍ବର ୬, ୨୦୨୨ରେ ଏୟାର ଇଣ୍ଡିଆର ପ୍ୟାରିସ-ନୂଆଦିଲ୍ଲୀ ବିମାନରେ ଘଟିଥିଲା।

ଡିଜିସିଏ ଏକ ବିବୃତ୍ତିରେ କହିଛନ୍ତି ଯେ ଡିଜିସିଏ ଏହି ଘଟଣା ବିଷୟରେ ଜାନୁଆରୀ ୫, ୨୦୨୩ରେ ଏୟାର ଇଣ୍ଡିଆରୁ ରିପୋର୍ଟ ମାଗିଥିଲା । ଏହି ଦୁଇଟି ଘଟଣାରେ କମ୍ପାନୀ ପୂର୍ବରୁ କୌଣସି ସୂଚନା ଦେଇ ନଥିଲା। ନିୟାମକ କହିଛନ୍ତି ଯେ କମ୍ପାନୀ ଜାନୁୟାରୀ ୬ରେ ଇମେଲ ମାଧ୍ୟମରେ ଏକ ଉତ୍ତର ପଠାଇଥିଲା । ଏହାକୁ ଦେଖିବା ପରେ ଜଣାପଡ଼ିଥିଲା ଯେ ଆପତ୍ତିଜନକ ଆଚରଣ କରୁଥିବା ଯାତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜଡ଼ିତ ନିୟମ ପାଳନ କରାଯାଇ ନଥିଲା ।

ଏୟାର ଇଣ୍ଡିଆ ଏହି ଦୁଇ ଅସଦାଚରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିଥିଲା । କର୍ତ୍ତବ୍ୟରେ ଅବହେଳା ପାଇଁ କମ୍ପାନୀ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନାହିଁ ବୋଲି ଏୟାର ଇଣ୍ଡିଆର ସଂପୃକ୍ତ ମ୍ୟାନେଜରଙ୍କୁ ନୋଟିସ୍ ଜାରି କରୀ ପଚାରିଛନ୍ତି ଡିଜିସିଏ । ଦୁଇ ସପ୍ତାହ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଜବାବ ଦାଖଲ କରିବାକୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଏୟାର ଇଣ୍ଡିଆ ବିମାନ ଭିତରେ ଜଣେ ବୟସ୍କା ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ନେଇ ଏକ ମାମଲା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛି । ନଭେମ୍ବର ୨୬ରେ ଏହି ଘଟଣା ଘଟିଥିଲା ।‌‌ ଅଭିଯୁକ୍ତ ଶଙ୍କର ମିଶ୍ର ନିଶାସକ୍ତ ଅବସ୍ଥାରେ ନ୍ୟୁୟର୍କରୁ ଦିଲ୍ଲୀକୁ ଆସୁଥିବା ଏୟାର ଇଣ୍ଡିଆ ବିମାନର ବ୍ୟବସାୟ ଶ୍ରେଣୀରେ ଜଣେ ବୃଦ୍ଧ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ।

ଅଭିଯୋଗ ପାଇବା ପରେ ଦିଲ୍ଲୀ ପୋଲିସ ଏଫଆଇଆର ରୁଜୁ କରି ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଜାନୁଆରୀ ୪ରେ ଗିରଫ କରିଥିଲା। ଏହି ପ୍ରସଙ୍ଗରେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଅବହେଳାକୁ ନେଇ ପ୍ରଶ୍ନ ଉଠିଛି। ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ଏବଂ ବିଶୃଙ୍ଖଳ ଯାତ୍ରୀଙ୍କ ବିରୋଧରେ ଆକ୍ସନ୍ ନେବା ପାଇଁ ୨୦୧୭ର ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର୍)ରେ ସଂଶୋଧନ କରାଯିବା ଉଚିତ ବୋଲି ବିଶେଷଜ୍ଞମାନେ କହିଛନ୍ତି । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ବିମାନ କମ୍ପାନୀଗୁଡିକ ବ୍ୟବସାୟିକ ସ୍ୱାର୍ଥ ଯୋଗୁଁ ଏଭଳି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଯାହା ଫଳରେ ବିମାନରେ ଏଭଳି ଯାତ୍ରୀ ବିଶୃଙ୍ଖଳା ଘଟଣା ବୃଦ୍ଧି ପାଇଛି।

Comments are closed.