‘ଗୋ ଫର୍ଷ୍ଟ’କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ଡିଜିସିଏ, ଟିକେଟ୍ ବୁକିଂ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ‘ଗୋ ଫର୍ଷ୍ଟ’କୁ ତୁରନ୍ତ ଟିକେଟ ବୁକିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । ପରିଚାଳନାଗତ ଅବ୍ୟବସ୍ଥା ନେଇ ଏହି ଦେବାଳିଆ ଏୟାରଲାଇନକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି ।

‘ଗୋ ଫର୍ଷ୍ଟ’ ପୂର୍ବରୁ ମେ ୧୫ ପର୍ଯ୍ୟନ୍ତ ଟିକେଟ୍ ବିକ୍ରି ବନ୍ଦ କରିସାରିଛି | ଏହା ସହିତ ଏୟାରଲାଇନ୍ ମେ ୧୨ ପର୍ଯ୍ୟନ୍ତ ଉଡ଼ାଣ ବାତିଲ କରିଦେଇଛି |

ଗତ ସପ୍ତାହରେ ଗୋ ଫର୍ଷ୍ଟ ‘ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି)’ ଆଗରେ ଦେବାଳିଆ ଘୋଷଣା କରିବାକୁ ଆବେଦନ ଦାଖଲ କରିଥିଲା । ଏହି ପିଟିସନର ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି।

ସୂଚନାନୁସାରେ, ଗୋ ଫର୍ଷ୍ଟ ସଙ୍କଟ ଘନେଇବା ପରେ ଡିଜିସିଏ କମ୍ପାନୀକୁ ପରବର୍ତ୍ତୀ ଆଦେଶ ଯାଏଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକେଟ୍ ବୁକିଂ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାଛଡ଼ା ବିମାନ ଚଳାଚଳ ନ କରିବା ନେଇ ୧୫ ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ମଧ୍ୟ କମ୍ପାନୀକୁ କୁହାଯାଇଛି।

ସୂତ୍ରରୁ ଜଣାଯାଇଛି ଯେ, କେବଳ ଗୋ ଫର୍ଷ୍ଟର ଜବାବ ଆଧାରରେ ହିଁ କମ୍ପାନୀକୁ ଦିଆଯାଇଥିବା ଏୟାର ଅପରେଟିଂ ସାର୍ଟିଫିକେଟ୍ (ଏଓସି) ଜାରି ରଖିବା ଉପରେ ନିଷ୍ପତ୍ତି ନିଆଯିବ |

Comments are closed.