ଧାନବାଦ୍ ଜଜ୍ ଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଧକ୍କା ଦେଇଥିଲା ଅଟୋ ଡ୍ରାଇଭର୍: ସିବିଆଇ

ରାଞ୍ଚି: ଧାନବାଦ୍ କୋର୍ଟର ବିଚାରପତି ଉତ୍କଳ ଆନନ୍ଦଙ୍କ ମୃତ୍ୟୁ ମାମଲାରେ ସିବିଆଇ ହାଇକୋର୍ଟରେ ବଡ଼ ସୂଚନା ଦେଇଛି। ଉତ୍କଳ ଆନନ୍ଦଙ୍କୁ ହତ୍ୟା କରାଯାଇଥିଲା। ଅଟୋରିକ୍ସା ଡ୍ରାଇଭର ଉଦ୍ଦେଶ୍ୟ ମୂଳକ ଭାବେ ବିଚାରପତିଙ୍କୁ ଧକ୍କା ଦେଇଥିଲା ବୋଲି ସିବିଆଇ ହାଇକୋର୍ଟଙ୍କୁ କହିଛି। ଅଟୋ ଧକ୍କା ଦେବା ପରେ ଘଟଣାସ୍ଥଳରେ ଜଜ୍ ଉତ୍କଳ ଆନନ୍ଦଙ୍କ ମୃତ୍ୟୁ ହୋଇଥିଲା। ଶୁଣାଣି ସମୟରେ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି ଯେ ଅନୁସନ୍ଧାନକାରୀ ସଂସ୍ଥା ଏହି ଘଟଣାର ଯାଞ୍ଚ କରୁଛି। ସେ କହିଛନ୍ତି ଯେ ତଦନ୍ତ ଚାଲିଛି ଏବଂ ପ୍ରତ୍ୟେକ ଦିଗକୁ ଧ୍ୟାନରେ ରଖି ଅନୁସନ୍ଧାନକାରୀ ସଂସ୍ଥା ଆଗକୁ ବଢୁଛି। ଏହି ମାମଲାର ଶୁଣାଣି ପରେ କୋର୍ଟ ସିବିଆଇକୁ ଆସନ୍ତା ସପ୍ତାହରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ଏହି ମାମଲାର ଅନୁସନ୍ଧାନ ବେଳେ ସିବିଆଇ ଏହାର ପ୍ରମାଣ ଅଧ୍ୟୟନ ପାଇଁ ସାରା ଦେଶରେ ଚାରୋଟି ଫରେନସିକ୍ ଟିମକୁ ନିୟୋଜିତ କରିଥିବା କୁହାଯାଇଛି। ଜୁଲାଇ ୨୮ରେ ଧାନବାଦ୍ ର ୪୯ ବର୍ଷୀୟ ଜିଲ୍ଲା ଜଜ୍ ଉତ୍କଳ ଆନନ୍ଦ ପ୍ରାତଃ ଭ୍ରମଣ କରୁଥିବା ବେଳେ ଏକ ଅଟୋରିକ୍ସା ତାଙ୍କୁ ଧକ୍କା ଦେଇଥିଲା। ଜଜ୍ ଉତ୍କଳ ଆନନ୍ଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଯାଇଥିଲା ।

ସିବିଆଇ ଗୁଜୁରାଟର ଗାନ୍ଧିନଗରରେ ଦୁଇ ଅଭିଯୁକ୍ତଙ୍କ ବ୍ରେନ୍ ମ୍ୟାପିଂ ଏବଂ ଲାଏ ଡିଟେକ୍ଟସନ୍ ପରୀକ୍ଷା କରିଥିଲା।
ସିବିଆଇ ଏହି ରିପୋର୍ଟଗୁଡିକ ଅଧ୍ୟୟନରେ ନିୟୋଜିତ ଅଛି। ସିବିଆଇ ଏହି ଘଟଣାର ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଛି।

ଏହି ଘଟଣା ପ୍ରଥମେ ଏକ ଦୁର୍ଘଟଣା ବୋଲି ମନେ କରାଯାଉଥିଲା। କିନ୍ତୁ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। କୋର୍ଟ ଏହି ଘଟଣାର ନିଜ ଆଡ଼ୁ ସଂଜ୍ଞାନ ନେଇ ସିବିଆଇକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୪ରେ ସିବିଆ ଏଫ୍ଆଇଆର୍ ରୁଜୁ କରିଥିଲା। ପରେ ଏହି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଦଶ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।

Comments are closed.