ଧୋନି ପୁଣି ହେଲେ ସୁପରକିଙ୍ଗ୍‌ସ କ୍ୟାପଟେନ

ମୁମ୍ବାଇ: ଏମ୍‌ଏସ୍ ଧୋନି ପୁଣି ଚେନ୍ନାଇ ସୁପରକିଙ୍ଗ୍‌ସ କ୍ୟାପଟେନ ଭାବେ ଫେରିଛନ୍ତି । ରବୀନ୍ଦ୍ର ଜାଡେଜା ଦଳର ନେତୃତ୍ୱ ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ଧୋନି ଚଳିତ ଆଇପିଏଲର ଅବଶିଷ୍ଟ ମ୍ୟାଚରେ ଦଳର ନେତୃତ୍ୱ ସମ୍ଭାଳିବେ ବୋଲି ଫ୍ରାଞ୍ଚାଇଜ ପକ୍ଷରୁ ସୂଚନା ଦିଆଯାଇଛି । ଫ୍ରାଞ୍ଚାଇଜ୍ କହିଛି ଯେ, ଜାଡେଜା ନିଜ ପ୍ରଦର୍ଶନ ଉପରେ ଧ୍ୟାନ ଦେବା ପାଇଁ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ସିଜନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଜାଡେଜାଙ୍କୁ ନେତୃତ୍ୱ ଦାୟିତ୍ୱ ହସ୍ତାନ୍ତର କରିଥିଲେ ଧୋନି । ହେଲେ ଜାଡେଜାଙ୍କ ନେତୃତ୍ୱରେ ଚେନ୍ନାଇ ଏହି ସିଜନରେ ସଂଘର୍ଷ କରିଛି । ଦଳ ଏଯାବତ ୮ଟି ମ୍ୟାଚରୁ କେବଳ ଦୁଇଟି ଜିତି ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ।

ଫ୍ରାଞ୍ଚାଇଜ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ନିଜ ଖେଳ ଉପରେ ଧ୍ୟାନ ଦେବା ପାଇଁ ଜାଡେଜା ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅଲରାଉଣ୍ଡର ଧୋନିଙ୍କୁ ପୁଣି ଦଳର ନେତୃତ୍ୱ ସମ୍ଭାଳିବା ପାଇଁ ଅନୁରୋଧ କରିଛନ୍ତି । ଦଳର ସ୍ୱାର୍ଥ ଦୃଷ୍ଟିରୁ ଧୋନି ଦଳର ନେତୃତ୍ୱ ନେବାକୁ ରାଜି ହୋଇଛନ୍ତି ।

ଚଳିତ ସିଜନରେ ଜାଡେଜାଙ୍କ ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଛନ୍ତି । ବିଶେଷଜ୍ଞ କହିଥିଲେ ଯେ ନେତୃତ୍ୱ ବୋଝ ଯୋଗୁଁ ତାଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଛି । ଚଳିତ ସିଜନରେ ୮ଟି ମ୍ୟାଚରୁ ଜାଡେଜା ୨୨.୪୦ ଆଭରେଜରେ ମାତ୍ର ୧୧୨ ରନ୍ କରିଛନ୍ତି । ବୋଲିଂରେ ମଧ୍ୟ ସେ ଏ ପର୍ଯ୍ୟନ୍ତ କେବଳ ପାଞ୍ଚଟି ୱିକେଟ୍ ନେଇଛନ୍ତି ।

ଆଇପିଏଲ ଆରମ୍ଭରୁ ଧୋନି ସବୁ ସିଜନରେ ଚେନ୍ନାଇ ସୁପରକିଙ୍ଗ୍‌ସର ନେତୃତ୍ୱ ନେଇଛନ୍ତି । ଧୋନିଙ୍କ ଅଧିନାୟକତ୍ୱରେ ଦଳ ଚାରି ଥର ଟାଇଟଲ୍ ଜିତିଛି । ଶେଷଥର ଗତ ସଂସ୍କରଣରେ ଦଳ ଚାମ୍ପିୟନ ହୋଇଥିଲା ।

Comments are closed.