ଧୋନିଙ୍କୁ ଭେଟିବା ପାଇଁ ୧୪୩୬ କିଲୋମିଟର ଚାଲି ଚାଲି ରାଞ୍ଚିରେ ପହଞ୍ଚିଲେ ଯୁବକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥାଇ ପାରନ୍ତି, କିନ୍ତୁ ତାଙ୍କ ପ୍ରତି ପ୍ରଶଂସକଙ୍କ ଶ୍ରଦ୍ଧା ଓ ସମ୍ମାନ ଏବେ ବି ଅତୁଟ ରହିଛି। ଏହାର ‌‌ଏକ ସଦ୍ୟତମ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି ।

ଧୋନିଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ପ୍ରାୟ ୧୪୩୬ କିଲୋମିଟର ପାଦରେ ଚାଲି ରାଞ୍ଚିରେ ପହଞ୍ଚିଛନ୍ତି | ଧୋନିଙ୍କ ପାଇଁ କ୍ରେଜ୍ ର ସବୁ ସୀମା ଟପି ଅଜୟ ଗିଲ୍ ନାମକ ଏହି ଯୁବକ ତିନି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଭଳି କରିଛନ୍ତି |

ଶେଷ ଥର ପାଇଁ ଅଜୟ ଗିଲ୍ ରାଞ୍ଚିରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଥିଲେ ଯେ ଧୋନି ଆଇପିଏଲ୍- ୨୦୨୧ରେ ଭାଗ ନେବାକୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅଛନ୍ତି। ଗତଥର ୧୬ ଦିନରେ ଏହି ଦୂରତା ଅତିକ୍ରମ କରିଥିବା ଅଜୟ ଏଥର ୧୮ ଦିନ ମଧ୍ୟରେ ଏହି ଦୂରତା ଅତିକ୍ରମ କରିଥିଲେ । କିନ୍ତୁ ତାଙ୍କର ଏହି ପରିଶ୍ରମର ଫଳ ବେକାର ଯାଇନଥିଲା । ସେ ମାହିଙ୍କୁ ଭେଟିବାକୁ ସୁଯୋଗ ପାଇଲେ |

ଧୋନି କେବଳ ଏହି ପ୍ରଶଂସକଙ୍କୁ ଭେଟି ନଥିଲେ, ତାଙ୍କୁ ଫେରିବା ପାଇଁ ବିମାନ ଟିକେଟ ମଧ୍ୟ ଦେଇଥିଲେ, ଏକ ଅଟୋଗ୍ରାଫ୍ ଦେଇଥିଲେ । ଅଜୟଙ୍କ ସହ ଧୋନି ସେଲ୍ଫି ଉଠାଇଥିଲେ ଏବଂ ତାଙ୍କ ଫାର୍ମ ହାଉସରେ ରହିବାର ବ୍ୟବସ୍ଥା ମଧ୍ୟ କରିଥିଲେ | ଧୋନିଙ୍କ ପ୍ରଶଂସକଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥାକୁ ବହୁତ ପ୍ରଶଂସା କରାଯାଉଛି | ଏକ ୱେବସାଇଟ୍ ଅନୁଯାୟୀ, ଧୋନିଙ୍କୁ ଭେଟିବା ପରେ ୧୮ ବର୍ଷୀୟ ଅଜୟ କହିଥିଲେ ଯେ ତାଙ୍କ ଜୀବନ ଧନ୍ୟ ହୋଇଯାଇଛି |

ଏହି ଯୁବକ ଜଣକ କହିଛନ୍ତି ଯେ, ମୁଁ ଶପଥ ନେଇଥିଲି ଯେ ଧୋନି ଯଦି ଆଶୀର୍ବାଦ ନ ଦିଅନ୍ତି, ତେବେ ସେ କ୍ରିକେଟ୍ ଖେଳିବେ ନାହିଁ। ଅଜୟ କହିଛନ୍ତି ଯେ ୧୫ ଅଗଷ୍ଟ ୨୦୨୦ରେ ଯେତେବେଳେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ସେ କ୍ରିକେଟ୍ ଖେଳିବା ମଧ୍ୟ ବନ୍ଦ କରିଦେଇଥିଲେ। ଅଜୟ କହିଛନ୍ତି ଯେ ବର୍ତ୍ତମାନ ତାଙ୍କର ସ୍ୱପ୍ନ ହେଉଛି ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା । ଅଜୟ ହେଉଛନ୍ତି ହରିୟାଣାର ବାସିନ୍ଦା ଏବଂ ସେ ଧୋନିଙ୍କୁ ଭେଟିବା ପାଇଁ ହରିୟାଣା ଠାରୁ ଝାଡଖଣ୍ଡକୁ ପାଦରେ ଯାଇଥିଲେ |

Comments are closed.