ଦିଗବିଜୟ ସିଂହଙ୍କୁ ବର୍ଷେ ଜେଲ୍

ଇନ୍ଦୋର: ୨୦୧୧ରେ ମଧ୍ୟ ପ୍ରଦେଶର ଉଜ୍ଜୈନରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ସହ ମାରପିଟ୍ ମାମଲାରେ ଇନ୍ଦୋରର ଏକ ସ୍ୱତନ୍ତ୍ର କୋର୍ଟ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହଙ୍କ ସମେତ ୬ ଜଣଙ୍କୁ ଗୋଟିଏ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହାଛଡ଼ା କୋର୍ଟ ଦୋଷୀମାନଙ୍କ ଉପରେ ପାଞ୍ଚ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ।

ଅବଶ୍ୟ କୋର୍ଟ ଦିଗବିଜୟ ସିଂହଙ୍କ ସମେତ ସମସ୍ତ ଦୋଷୀଙ୍କୁ ୨୫ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି ।

ସ୍ବତନ୍ତ୍ର ଜଜ୍ ମୁକେଶ ନାଥ, ଦିଗବିଜୟ ଏବଂ ଉଜ୍ଜୈନର ପୂର୍ବତନ ଲୋକସଭା ସାଂସଦ ପ୍ରେମଚାନ୍ଦ ଗୁଡ୍ଡୁଙ୍କୁ ଆଇପିସିର ଧାରା ୩୨୫ (ଉଦ୍ଦେଶ୍ୟମୂଳକ ଭାବେ ଗୁରୁତର ଆଘାତ କରିବା) ଏବଂ ୧୦୯ (ଆକ୍ରମଣ ପାଇଁ ଉସକାଇବା) ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅନ୍ୟ ଚାରିଜଣ ବ୍ୟକ୍ତି – ଅନନ୍ତ ନାରାୟଣ, ଜୟ ସିଂହ ଦର୍ବାର, ଅସଲାମ ଲାଲା ଏବଂ ଦିଲୀପ ଚୌଧୁରୀ – ଧାରା ୩୨୫ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିଲେ |

ଏହି ମାମଲାରେ କୋର୍ଟ ଅନ୍ୟ ତିନି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ପ୍ରମାଣ ଅଭାବରୁ କଂଗ୍ରେସ ବିଧାୟକ ମହେଶ ପରମାର, ମୁକେଶ ଭଟି ଏବଂ ହେମନ୍ତ ଚୌହାନଙ୍କୁ ଦୋଷମୁକ୍ତ କରାଯାଇଛି । ଦିଗବିଜୟଙ୍କ ସମେତ ସମସ୍ତ ୬ ଜଣ ଦୋଷୀଙ୍କ ଅପିଲ ପରେ ସ୍ୱତନ୍ତ୍ର ବିଚାରପତି ତୁରନ୍ତ ସେମାନଙ୍କୁ ଗିରଫ ଉପରେ ରୋକ୍ ଲଗାଇ ୨୫,୦୦୦-୨୫,୦୦୦ ଟଙ୍କା ମୁଚାଲିକାରେ ଜାମିନରେ ପ୍ରଦାନ କରିଥିଲେ ।

ଜାମିନରେ ମୁକୁଳିବା ପରେ ଦିଗବିଜୟ କହିଛନ୍ତି ଯେ ସେ ସ୍ୱତନ୍ତ୍ର କୋର୍ଟର ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଆବେଦନ କରିବେ। ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆରକୁ ମିଥ୍ୟା ବୋଲି କହି ସେ କହିଛନ୍ତି ଯେ ଘଟଣାର ମୂଳ ଏଫଆଇଆରରେ ଅଭିଯୁକ୍ତ ଭାବେ ମୋର ନାମ ନଥିଲା। ପରେ ରାଜନୈତିକ ଚାପ ଯୋଗୁଁ ପୋଲିସ ମୋ ନାମକୁ ଅଭିଯୁକ୍ତ ତାଲିକାରେ ସାମିଲ କରିଥିଲା।

ପୋଲିସର ସୂଚନାନୁସାରେ, ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ୨୦୧୧ ଜୁଲାଇ ୧୭ରେ ଦିଗବିଜୟଙ୍କୁ ଉଜ୍ଜୈନରେ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କଲାବେଳେ ସେମାନଙ୍କୁ ଦିଗବିଜୟ, ପ୍ରେମଚାନ୍ଦ ଗୁଡ୍ଡୁ ଓ ଅନ୍ୟମାନେ ଆକ୍ରମଣ କରିଥିଲେ ।

Comments are closed.