କଂଗ୍ରେସ ସଭାପତି ରେସରେ ଦିଗବିଜୟ ସିଂହ, କାଲି ନାମାଙ୍କନ ଦାଖଲ କରିବେ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଦଳର ସଭାପତି ରେସରେ ସାମିଲ ହୋଇଛନ୍ତି । ଆସନ୍ତାକାଲି ସେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଦିଗବିଜୟ କହିଛନ୍ତି ।

ଦିଲ୍ଲୀର ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ମୁଁ ଆଜି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଫର୍ମ ସଂଗ୍ରହ କରିବାକୁ ଆସିଥିଲି। ଆସନ୍ତାକାଲି ୧୧ଟାରୁ ୩ଟା ପର୍ଯ୍ୟନ୍ତ ମୁଁ ମୋର ନାମାଙ୍କନ ପତ୍ର ଦାଖଲ କରିବି। ”

କଂଗ୍ରେସ ସଭାପତି ପଦ ପାଇଁ ସେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଦିଗବିଜୟ ସିଂହ ପୂର୍ବରୁ ହିଁ ସଙ୍କେତ ଦେଇଥିଲେ ।
କଂଗ୍ରେସର ସଭାପତି ନିର୍ବାଚନ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗତ କିଛି ଦିନ ଧରି ରାଜନୈତିକ ହଟଚମଟ ଜାରି ରହିଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ବୁଧବାର ଦିଲ୍ଲୀରେ ପହଞ୍ଚିଛନ୍ତି । ସେ ସୋନିଆ ଗାନ୍ଧୀଙ୍କୁ ଭେଟିବେ ବୋଲି ଜଣାପଡିଛି।

ଦିଲ୍ଲୀରେ ପହଞ୍ଚିବା ପରେ ଅଶୋକ ଗେହଲୋଟ୍ ରାଜସ୍ଥାନ ସଙ୍କଟ ଉପରେ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇନଥିଲେ । ସେ କହିଥିଲେ ଯେ ରାହୁଲ ଗାନ୍ଧୀ ମୁଦ୍ରାସ୍ଫୀତି, ବେକାରୀ ଏବଂ ଦେଶରେ ଏକଛତ୍ରବାଦୀ ଶାସନ ନେଇ ଚିନ୍ତିତ ଅଛନ୍ତି। କଂଗ୍ରେସରେ ଆମେ ଦେଶର ସମସ୍ୟା ନେଇ ଚିନ୍ତିତ। ଏହି ସବୁ ସମସ୍ୟାର ମୁକାବିଲା କରିବା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ | ଆଭ୍ୟନ୍ତରୀଣ ରାଜନୀତି ଚାଲିଛି, ଆମେ ଏହାର ସମାଧାନ କରିବୁ |

ଆମେ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କାର୍ଯ୍ୟ କରୁଛୁ। ତଦନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଗଣମାଧ୍ୟମ ଦେଶର ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଉଚିତ୍। ଦେଶଦ୍ରୋହୀ ଭାବେ ଅଭିହିତ କରି ଲେଖକ ଏବଂ ସାମ୍ବାଦିକମାନଙ୍କୁ ଜେଲକୁ ପଠାଯାଉଛି। ଆମେ ସେମାନଙ୍କ ପାଇଁ ଚିନ୍ତିତ। ”

ଏହାପୂର୍ବରୁ ଅଶୋକ ଗେହଲୋଟଙ୍କୁ ସଭାପତି ପଦ ପାଇଁ ମୁଖ୍ୟ ଦାବିଦାର ଭାବେ ବିବେଚନା କରାଯାଉଥିଲା । ଯଦି ଅଶୋକ ଗେହଲୋଟ୍ କଂଗ୍ରେସ ସଭାପତି ପଦ ଗ୍ରହଣ କରନ୍ତି, ତେବେ ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହି ଆଶଙ୍କାରେ ଗେହଲୋଟ ଗୋଷ୍ଠୀର ପ୍ରାୟ ୯୦ ବିଧାୟକ ରବିବାର ଦଳୀୟ ହାଇକମାଣ୍ଡଙ୍କ ବିରୋଧରେ ବିଦ୍ରୋହ କରି ବୈଠକ ବର୍ଜନ କରିଥିଲେ।

ତେବେ ଅଶୋକ ଗେହଲୋଟ୍ ସଭାପତି ଏହି ଦୌଡ଼ରୁ ବାଦ୍ ପଡିଛନ୍ତି କି ନାହିଁ ସେ ସମ୍ପର୍କରେ କଂଗ୍ରେସ ଦଳ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ ।

Comments are closed.