ଆମେରିକା‌ ଇତିହାସରେ ପ୍ରଥମ, ଜାରି କରାଗଲା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ‘ମଗସଟ୍’

ଓ୍ୱାଶିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ଜିଆର ଫୁଲଟନ କାଉଣ୍ଟିରେ ଆତ୍ମସମର୍ପଣ କରିଛନ୍ତି । ୨୦୨୦ ନିର୍ବାଚନ ଫଳାଫଳ ଜାଲିଆତି କରିବା ଉଦ୍ୟମ ଅଭିଯୋଗରେ ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ସେ ଆତ୍ମସମର୍ପଣ କରିଥିଲେ । ଅବଶ୍ୟ ଦୁଇ ଲକ୍ଷ ଡଲାର ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି । ଜେଲରେ ୨୦ ମିନିଟ୍ ରହିବା ପରେ ସେ ମୁକୁଳିଛନ୍ତି ।

ଜେଲରୁ ଟ୍ରମ୍ପଙ୍କ ‘ମଗସଟ୍’ ମଧ୍ୟ ଜାରି କରାଯାଇଥିଲା । ଜେଲ୍ ରେକର୍ଡ ପାଇଁ ନିଆଯାଉଥିବା ଅପରାଧୀଙ୍କ ଫଟୋକୁ ‘ମଗସଟ୍’ କୁହାଯାଏ । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ସାଧାରଣ ଅପରାଧୀ ଭଳି ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ଏକ ‘ମଗ୍ ସଟ୍’ ନିଆଯାଇଛି ଓ ତାହାକୁ ସାର୍ବଜନୀନ କରାଯାଇଛି। ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଏଭଳି ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି ଟ୍ରମ୍ପ ।

ଏହି ମାସ ଆରମ୍ଭରେ ଜର୍ଜିଆର ଜଣେ ଓକିଲ ଏହି ରିପବ୍ଲିକାନ୍ ନେତା ତଥା ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ଜୋ ବାଇଡେନଙ୍କ ଠାରୁ ହାରିବା ପରେ ଟ୍ରମ୍ପ ନିର୍ବାଚନ ଫଳାଫଳ ଜାଲିଆତି କରିବାକୁ ଷଡ଼ଯନ୍ତ୍ର କରିଥିଲେ ବୋଲି ଅଭିଯୋଗ ହୋଇଛି।

ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଟ୍ରମ୍ପ କୋର୍ଟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହାପୂର୍ବରୁ ଯେତେବେଳେ ତାଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ ହୋଇଥିଲା ସେତେବେଳେ ସେ ତିନିଥର ଆତ୍ମସମର୍ପଣ କରିଥିଲେ। ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, ଆମେରିକାରେ ଏଭଳି (ଆତ୍ମସମର୍ପଣ) କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କ କ୍ଷେତ୍ରରେ କେବେ ହୋଇନଥିଲା ।

ଫୁଲଟନ୍ କାଉଣ୍ଟି ଜେଲର ବୁକିଂ ସିଟ୍ ରେ ଡୋନାଲ୍ଡ ଟ୍ରମ୍ପଙ୍କ ନାମ ରୁଜୁ କରାଯାଇଛି। ଏହାଛଡ଼ା ତାଙ୍କ ବିରୋଧରେ ହୋଇଥିବା ୧୩ଟି ଅଭିଯୋଗ, ଅପରାଧର ତାରିଖ ଏବଂ ଜାମିନ ବିବରଣୀ ତାଲିକାଭୁକ୍ତ କରାଯାଇଛି।

ଟ୍ରମ୍ପ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି।

ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି, “ଗତ ନିର୍ବାଚନରେ ଜାଲିଆତି ହୋଇଥିଲା। ମୁଁ କିଛି ଭୁଲ କରି ନାହିଁ । ସମସ୍ତେ ଏହା ଜାଣନ୍ତି | ଯଦି ଆମକୁ ଲାଗୁଛି ଯେ ନିର୍ବାଚନରେ ଅନିୟମିତତା ହୋଇଛି, ତେବେ ଏହାକୁ ଚ୍ୟାଲେଞ୍ଜ କରିବାର ଆମର ଅଧିକାର ଅଛି।

Comments are closed.