ବିଭିନ୍ନ ଟ୍ରିବ୍ୟୁନାଲରେ ଖାଲି ପଡିଥିବା ପଦ ପୂରଣରେ ବିଳମ୍ବ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ ଆମ ଧୈର୍ଯ୍ୟର ପରୀକ୍ଷା କରନି

ନୂଆଦିଲ୍ଲୀ: ଟ୍ରିବ୍ୟୁନାଲରେ ଖାଲି ପଡିଥିବା ପଦ ପୂରଣରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତର ପ୍ରଧାନ ବିଚାରପତି କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ଆପଣ ଏହି କୋର୍ଟର ନିଷ୍ପତ୍ତିକୁ ସମ୍ମାନ ଦେବାକୁ ଚାହୁଁନାହାଁନ୍ତି। ଆମ ଧୈର୍ଯ୍ୟର ପରୀକ୍ଷା କରନ୍ତୁନି। ଯଦି ଏଭଳି ହୁଏ ତେବେ ଟ୍ରିବ୍ୟୁନାଲ୍ ସଂସ୍କାର ଆଇନକୁ ରଦ୍ଦ କରିବା କିମ୍ବା ଟ୍ରିବ୍ୟୁନାଲ୍ ବନ୍ଦ କରିବା ହିଁ ଆମ ପାଖରେ ବିକଳ୍ପ ଅଛି। ନଚେତ୍ ଆମକୁ ନିଜେ ଟ୍ରିବ୍ୟୁନାଲରେ ଖାଲି ପଡିଥିବା ପଦ ପୂରଣ କରିବାକୁ ପଡ଼ିବ ନହେଲେ ସରକାରଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ‌‌ପଡିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି । ସଂସ୍କାର ଆଇନକୁ ଚ୍ୟାଲେଞ୍ଜ କରି ଦାୟର ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ସୋମବାର ସୁଦ୍ଧା ନୋଟିସ୍ ର ଜବାବ ଦେବାକୁ ସୁପ୍ରିମକୋର୍ଟ କେନ। କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି ଯେ ଆମେ ସରକାରଙ୍କ ସହ ବିବାଦ ଚାହୁଁ ନାହୁଁ ଏବଂ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତ ହେବା ନେଇ ଆମେ ଖୁସି। ତେବେ ଟ୍ରିବ୍ୟୁନାଲଗୁଡିକ କୌଣସି ସଦସ୍ୟ କିମ୍ବା ଚେୟାରମ୍ୟାନଙ୍କ ବିନା ଅଦରକାରୀ ହୋଇପଡିଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ନିକଟରେ ପ୍ରଣୟନ ହୋଇଥିବା ନୂତନ ଆଇନ ହେଉଛି ପୂର୍ବ ଆଇନର ଏକ ନକଲ, ଯାହାକୁ ମାଡ୍ରାସ ବାର ଆସୋସିଏସନ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଖାରଜ କରାଯାଇଥିଲା। ଟ୍ରିବ୍ୟୁନାଲ ସଂସ୍କାର ଆଇନ ବୈଧତାକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ଏହି ନୋଟିସ ଜାରି କରିଛନ୍ତି।

Comments are closed.