ଦ୍ରାବିଡ ହେଲେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍‌, ନ୍ୟୁଜିଲାଣ୍ଡ ସିରିଜରୁ ଦାୟିତ୍ୱ ନେବେ

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ୍ ଭାରତୀୟ ସିନିୟର ପୁରୁଷ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ସୁଲକ୍ଷଣା ନାୟକ ଓ ଆରପି ସିଂଙ୍କୁ ନେଇ ବିସିସିଆଇର କ୍ରିକେଟ୍ ପରାମର୍ଶଦାତା କମିଟି ବୁଧବାର ସର୍ବସମ୍ମତି କ୍ରମେ ଦ୍ରାବିଡଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛନ୍ତି । ଦ୍ରାବିଡ୍‌, ରବି ଶାସ୍ତ୍ରୀଙ୍କ ସ୍ଥାନ ନେବେ । ସମ୍ପ୍ରତି ଓମାନ ଓ ୟୁଏଇରେ ଚାଲିଥିବା ଟି୨୦ ବିଶ୍ୱକପ୍ ପରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ନଭେମ୍ବର ୧୭ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରୁ ଦ୍ରାବିଡ୍ ଦାୟିତ୍ୱ ଗ୍ରହଣ କରିବେ ।

ଭାରତୀୟ ଦଳର ମୁଖ୍ୟ କୋଚ୍ ପଦ ପାଇଁ ବିସିସିଆଇ ଅକ୍ଟୋବର ୨୬ରେ ଆବେଦନ ଆହ୍ୱାନ କରିଥିଲା । ଦ୍ରାବିଡ୍ ଏହି ପଦ ପାଇଁ ଆବେଦନ କରିଥିଲେ । ତେବେ ଏହା କେବଳ ଏକ ଔପଚାରିକତା ଥିଲା । ଦ୍ରାବିଡ୍ ଏହି ପଦ ଅଳଙ୍କୃତ କରିବେ ବୋଲି ପୂର୍ବରୁ ସ୍ପଷ୍ଟ ହୋଇଥିଲା । ଯଦିଓ ଦ୍ରାବିଡ୍ ପ୍ରଥମେ ଏହି ଦାୟିିତ୍ୱ ଗ୍ରହଣ କରିବାକୁ ଅମଙ୍ଗ ଥିଲେ, ଆଇପିଏଲ୍ ଫାଇନାଲ ସମୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହା ତାଙ୍କୁ ମନାଇବାରେ ସଫଳ ହୋଇଥିଲେ । ବିସିସିଆଇ ଶାସ୍ତ୍ରୀଙ୍କ ଉତ୍ତରାଧିକାରୀ ଭାବେ ଜଣେ ଦକ୍ଷ ଓ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କୁ ଏହି ପଦରେ ନିଯୁକ୍ତ କରିବାକୁ ଚାହୁଁଥିଲା । ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହେବା ପରେ ଦ୍ରାବିଡ୍ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବେ । ଦ୍ରାବିଡ ପୂର୍ବରୁ ଅଣ୍ଡର-୧୯, ଭାରତ-ଏ ଦଳର କୋଚ୍ ଦାୟିତ୍ୱ ତୁଲାଇଛନ୍ତି । ପୃଥ୍ୱୀ ଶ’, ଶୁଭମାନ ଗିଲଙ୍କ ଭଳି ଅନେକ ପ୍ରତିଭାବାନ ଯୁବ ଖେଳାଳିଙ୍କ ଆବିଷ୍କାର ପାଇଁ ଦ୍ରାବିଡଙ୍କୁ ଶ୍ରେୟ ଯାଏ ।

ଅନ୍ୟପକ୍ଷେ ସଫଳ କାର୍ଯ୍ୟକାଳ ପାଇଁ ବିସିସିଆଇ ବିଦାୟୀ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସହ ବୋଲିଂ କୋଚ୍ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର.ଶ୍ରୀଧର ଏବଂ ବ୍ୟାଟିଂ କୋଚ୍ ବିକ୍ରମ ରାଠୋରଙ୍କୁ ଧନ୍ୟବାଦ ଜଣାଇଛି । ଶାସ୍ତ୍ରୀଙ୍କ ସହ ଟି୨୦ ବିଶ୍ୱକପ୍ ପରେ ଏହି ସବୁ ସହାୟକ କୋଚ ମାନଙ୍କ ମଧ୍ୟ କାର୍ଯ୍ୟକାଳ ଶେଷ ହେଉଛି ।
ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତ ଅନେକ ଐତିହାସିକ ସଫଳତା ହାସଲ କରିଥିଲା । ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଦୁଇଥର ସିରିଜ୍ ବିଜୟୀ ହେବା ସହ ଉଦଘାଟନୀ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପହଞ୍ଚିଥିଲା । ଏହାଛଡ଼ା ଭାରତ ପ୍ରଥମ ଦଳ ଭାବେ ନ୍ୟୁଜିଲାଣ୍ଡରେ ଦ୍ୱିପାକ୍ଷିକ ଟି୨୦ ସିରିଜକୁ ୫-୦ରେ ଜିତିଥିଲା । ତେବେ ତାଙ୍କ କାର୍ଯ୍ୟକାଳରେ ଭାରତ ଗୋଟିଏ ବି ଆଇସିସି ଟ୍ରଫି ଜିତି ନ ପାରିବା ଅବସୋସ ବି ରହିଯାଇଥିଲା ।
ନ୍ୟୁଜିଲାଣ୍ଡ ସିରିଜରୁ ଦ୍ରାବିଡଙ୍କ ତତ୍ତ୍ୱାବଧାନରେ ଭାରତୀୟ କ୍ରିକେଟରେ ଏକ ନୂଆ ଯୁଗ ଆରମ୍ଭ ହେବ । ଭାରତୀୟ ଦଳର ନେତୃତ୍ୱ, ବିଶେଷକରି ସୀମିତ ଓଭର ଦଳର ଅଧିନାୟକ ମଧ୍ୟ ବଦଳିବା ସମ୍ଭାବନା ରହିଛି ।

Comments are closed.