ବିଶ୍ୱକପ ପରାଜୟ ପରେ ନିଜ ଭବିଷ୍ୟତ ନେଇ କ’ଣ କହିଲେ ଦ୍ରାବିଡ?

ଅହମ୍ମଦାବାଦ: ରବିବାର ବିଶ୍ୱକପ ଫାଇନାଲ ମ୍ୟାଚ୍ ସହ ଭାରତୀୟ ଦଳର କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି।

୨୦୨୧ ଟି-୨୦ ବିଶ୍ୱକପ ପରେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡଙ୍କୁ କୋଚ୍ କରାଯାଇଥିଲା। ଭାରତୀୟ ଦଳର କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ଥିଲା, ଯାହା ସଦ୍ୟ ସମାପ୍ତ ଦିନିକିଆ ବିଶ୍ୱକପ ପରେ ଶେଷ ହୋଇଛି। ଦ୍ରାବିଡଙ୍କ କାର୍ଯ୍ୟକାଳରେ ଭାରତ ଦୁଇଟି ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ଓ ଗୋଟିଏ ସେମିଫାଇନାଲ ଖେଳିଛି ।

ବିସିସିଆଇ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ସମ୍ପର୍କରେ କିଛି କହିନାହିଁ ।

ରବିବାର ବିଶ୍ବକପ୍ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ‌ ହାରିବା ପରେ ଦ୍ରାବିଡ ତାଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ କହିଥିଲେ । ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଦ୍ରାବିଡ କହିଥିଲେ – “ମୁଁ ପରବର୍ତ୍ତୀ ସମୟରେ କ’ଣ କରିବି ସେ ବିଷୟରେ ଅଧିକ ଚିନ୍ତା କରିବାକୁ ସମୟ ପାଇ ନାହିଁ, କାରଣ ମୋର ପୂରା ଫୋକସ୍ ଏହି ବିଶ୍ୱକପ ଉପରେ ଥିଲା। ମ୍ୟାଚ୍ ସରିବା ପରେ ମୁଁ ସିଧା ଏଠାକୁ ଆସିଛି | ସତ କହିବାକୁ ଗଲେ, ମୁଁ ଜଣେ ଏପରି ବ୍ୟକ୍ତି ଯିଏ ନିଜ କାର୍ଯ୍ୟର ମୂଲ୍ୟାୟନ କରେ ନାହିଁ | ଏହି ଚମତ୍କାର ଦଳ ଓ ଚମତ୍କାର ସପୋର୍ଟ ଷ୍ଟାଫ୍ ସହିତ କାମ କରି ମୁଁ ଗର୍ବିତ | ଗତ ଦୁଇ ବର୍ଷ ମଧ୍ୟରେ ମୁଁ ସମସ୍ତ ଫର୍ମାଟରେ କାମ କରିଥିବା ସବୁ ଖେଳାଳି ମୋ ପାଇଁ ଏକ ବଡ଼ ଅନୁଭୂତି ସାଜିଛନ୍ତି। ”

ଫାଇନାଲରେ ହାରିବା ପରେ ଭାରତୀୟ ଡ୍ରେସିଂ ରୁମରେ ନିରାଶାର ଦୃଶ୍ୟ ଦେଖିବା ତାଙ୍କ ପକ୍ଷେ ଅସହ୍ୟ ଥିଲା ବୋଲି କହିଛନ୍ତି ଦ୍ରାବିଡ । ସେ କହିଥିଲେ, ଏହି ସମୟରେ ଡ୍ରେସିଂ ରୁମରେ ପରିବେଶ ବହୁତ ଭିନ୍ନ, ଖେଳାଳିମାନେ ଭାବପ୍ରବଣ ହୋଇଯାଇଛନ୍ତି। ଜଣେ କୋଚ୍ ଭାବେ ଏସବୁ ଦେଖିବା ମୋ ପାଇଁ ବହୁତ କଷ୍ଟକର ଥିଲା। ”

ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ସେ କହିଛନ୍ତି, ମୁଁ ଜାଣେ ରୋହିତ ଡ୍ରେସିଂ ରୁମରେ ଶ୍ରେଷ୍ଠ ପରିବେଶ ବଜାୟ ରଖନ୍ତି, ସେ ବହୁତ ପରିଶ୍ରମ କରନ୍ତି ଓ ବିଗତ ବର୍ଷ ଗୁଡିକରେ ସେ ଦଳକୁ ନିଜର ବ୍ୟକ୍ତିଗତ ସମୟ ମଧ୍ୟ ଦେଇଛନ୍ତି। ସେ ଜଣେ ମହାନ ଅଧିନାୟକ । ତାଙ୍କ ବିଷୟରେ କହିବାକୁ ମୋ ପାଖରେ କେବଳ ଭଲ କଥା ଅଛି।”

ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ହରାଇ ଅଷ୍ଟ୍ରେଲିଆ ରେକର୍ଡ ଷଷ୍ଠ ଥର ବିଶ୍ୱ ଚାମ୍ପିୟନ୍ ହୋଇଥିଲା । ଫାଇନାଲ ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ହାରିନଥିବା ଭାରତ ଟାଇଟଲ୍ ଲଢ଼େଇରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା । ଭାରତ ତୃତୀୟ ଟାଇଟଲ୍ ସ୍ବପ୍ନ ଧୂଳିସାତ୍ ପରେ ପୂରା ଦେଶରେ ନୈରାଶ୍ୟ ଖେଳିଯାଇଛି।

Comments are closed.