ହରିୟାଣା: ଡିଏସପିଙ୍କୁ ଡମ୍ପର ଚଢ଼ାଇ ମାରିଦେଲେ ଖଣି ମାଫିଆ

ନୂଆଦିଲ୍ଲୀ: ବେଆଇନ ଖନନ ଉପରେ ରେଡ୍ ପାଇଁ ଯାଇଥିବା ବେଳେ ହରିୟାଣାର ମେୱାଟ ଜିଲ୍ଲା ତାୱଡୁ ଡିଏସପି ସୁରେନ୍ଦ୍ର ସିଂଙ୍କୁ ଡମ୍ପର ଚଢ଼ାଇ ହତ୍ୟା କରିଛନ୍ତି ଖଣି ମାଫିଆ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୁରେନ୍ଦ୍ର ସିଂ ମଙ୍ଗଳବାର ଦିନ ପ୍ରାୟ ୧୧.୫୦ରେ ତାଙ୍କ ଟିମ୍ ସହିତ ତୂରୁ ନିକଟ ପାଚଗାଓଁ ଅରୁୱାଲୀ ପାହାଡ଼ ଉପରେ ବେଆଇନ ଖନନ ସୂଚନା ପାଇ ଚଢ଼ାଉ କରିବାକୁ ଯାଇଥିଲେ। ଦୁଇଜଣ ପୋଲିସ କର୍ମଚାରୀ, ଡ୍ରାଇଭର ଏବଂ ଜଣେ ଗନମ୍ୟାନ ସହ ସୁରେନ୍ଦ୍ର ସିଂ ସେଠାକୁ ଯାଇଥିଲେ। ସୁରେନ୍ଦ୍ର ସିଂ ଏକ ସନ୍ଦିଗ୍ଧ ଡମ୍ପରକୁ ରହିବାକୁ କହିଥିଲେ।

ସେ ସେହି ଡମ୍ପର ଡ୍ରାଇଭରଙ୍କଠାରୁ କାଗଜପତ୍ର ମାଗିଥିଲେ। କିନ୍ତୁ ସେ ସ୍ପିଡ୍ ବଢାଇ ଲୋକଙ୍କ ଉପରେ ଡମ୍ପର ଚଢ଼ାଇବାକୁ ଚେଷ୍ଟା କରିଥିଲା। ଉଭୟ ଡ୍ରାଇଭର ଏବଂ ଗନମ୍ୟାନ୍ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ କାରରୁ ଡେଇଁପଡିଥିଲେ କିନ୍ତୁ ଡମ୍ପର ସୁରେନ୍ଦ୍ର ସିଂଙ୍କ ଉପରେ ଚଢ଼ିଯାଇଥିଲା ।

ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଅଣାଯାଇଥିଲା । କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ହରିୟାଣା ପୋଲିସର ସୂଚନାନୁସାରେ, ସୁରେନ୍ଦ୍ର ସିଂ ୧୯୯୪ରେ ଏଏସ୍ଆଇ ଭାବେ ନିଯୁକ୍ତ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ତାୱଡୁରେ ଡିଏସପି ଭାବରେ ପୋଷ୍ଟ କରାଯାଇଥିଲା। ସେ ଚାରି ମାସ ମଧ୍ୟରେ ଅବସର ନେଇଥାନ୍ତେ ।

କଂଗ୍ରେସ ନେତା ବିରେନ୍ଦ୍ର ସିଂ ରାଠୋର ଡିଏସପିଙ୍କ ମୃତ୍ୟୁକୁ ନେଇ ରାଜ୍ୟର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ହରିୟାଣାରେ ବିଜେପିର କୁଶାସନ। ହରିୟାଣାର ନୁହରେ ଖଣି ମାଫିଆ ତାୱାଡୁ ଡିଏସପି ସୁରେନ୍ଦ୍ର ସିଂଙ୍କ ଉପରେ ଡମ୍ପର ଚଢ଼ାଇ ହତ୍ୟା କରିଛନ୍ତି । ସେ ଏହି ବର୍ଷ ଅବସର ନେବାକୁ ଯାଉଥିଲେ | ଏହି ମାଫିଆମାନଙ୍କୁ କିଏ ସମର୍ଥନ କରୁଛି?

ଡିଏସପି ସୁରେନ୍ଦ୍ର ସିଂଙ୍କ ହତ୍ୟାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାହାକୁ ବି ଛଡ଼ାଯିବ ନାହିଁ ବୋଲି ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍ କହିଛନ୍ତି।

Comments are closed.