ନାଡାର ୪ ବର୍ଷ ବାସନ୍ଦାଦେଶକୁ ଚ୍ୟାଲେଞ୍ଜ କରିବେ ଦୂତୀ

ନୂଆଦିଲ୍ଲୀ: ତାଙ୍କ ଉପରେ ଜାତୀୟ ଡୋପିଂ ନିରୋଧୀ ସଂସ୍ଥା (ନାଡା) ଲଗାଇଥିବା ଚାରି ବର୍ଷର ବାସନ୍ଦାଦେଶକୁ ଚ୍ୟାଲେଞ୍ଜ କରିବେ ଦୂତୀ ଚାନ୍ଦ ।

ଟୁର୍ଣ୍ଣାମେଣ୍ଟ ବାହାରେ ନାଡା କରିଥିବା ଡୋପ୍ ଟେଷ୍ଟରେ ଦୂତୀ ବିଫଳ ହୋଇଥିଲେ | ଫଳସ୍ବରୂପ ଏହି ୨୭ ବର୍ଷୀୟା ଧାବିକାଙ୍କୁ ଗୁରୁବାର ଚାରି ବର୍ଷ ବାସନ୍ଦ କରିଥିଲା ନାଡା। ଗତ ବର୍ଷ ଡିସେମ୍ବରରେ ଏହି ୧୦୦ ମିଟର ଜାତୀୟ ରେକର୍ଡଧାରୀ ଆଥଲେଟଙ୍କର ନିଆଯାଇଥିବା ଦୁଇଟି ନମୁନାରେ ‘ଅନ୍ୟ ଆନାବୋଲିକ୍ ଏଜେଣ୍ଟ / ଏସ୍ଏଆରଏମ୍ଏସ୍’ ମିଳିଥିଲା ଯାହା ବିଶ୍ବ ଡୋପିଂ ନିରୋଧୀ ସଂସ୍ଥା (ଓ୍ବାଡା) ର ୨୦୨୩ ନିଷିଦ୍ଧ ଡ୍ରଗ୍ସ ତାଲିକାରେ ଅଛି |

ଦୂତୀଙ୍କ ନମୁନା ଗତବର୍ଷ ଡିସେମ୍ବର ୫ ଏବଂ ୨୬ରେ ନିଆଯାଇଥିଲା।

ଏସ୍ଏଆରଏମ୍ଏସ୍ (ସିଲେକ୍ଟିଭ୍ ଆଣ୍ଡ୍ରୋଜେନ୍ ରିସେପ୍ଟର ମଡ୍ୟୁଲେଟର) ହେଉଛି ଏକ ନନ୍-ଷ୍ଟେରଏଡ୍ ପଦାର୍ଥ ଯାହା ସାଧାରଣତଃ ଅଷ୍ଟିଓପୋରୋସିସ୍ (ହାଡ ସମ୍ବନ୍ଧୀୟ ରୋଗ), ରକ୍ତହୀନତା ଏବଂ ରୋଗୀମାନଙ୍କ ଆଘାତର ଚିକିତ୍ସା ପାଇଁ ଉଦ୍ଦିଷ୍ଟ |

ଦୂତୀଙ୍କ ବାସନ୍ଦାଦେଶ ପିଛିଲା ଭାବେ ଚଳିତ ବର୍ଷ ଜାନୁୟାରୀ ୩ରୁ ଲାଗୁ ହେବ ‌। ଏହାଛଡ଼ା ଡିସେମ୍ବର ୫, ୨୦୨୨ରେ ନିଆଯାଇଥିବା ପ୍ରଥମ ନମୁନା ତାରିଖରୁ ତାଙ୍କର ସମସ୍ତ ପ୍ରତିଯୋଗିତାମୂଳକ ଫଳାଫଳ ଅସିଦ୍ଧ ହୋଇଯିବ।

ଦୂତୀଙ୍କ ଓକିଲ ପାର୍ଥ ଗୋସ୍ୱାମୀ କହିଛନ୍ତି ଯେ ତାଙ୍କର ପୂରା ପେସାଦାର କ୍ୟାରିୟରରେ ଦୂତୀ ଜଣେ “କ୍ଲିନ୍ ଆଥଲେଟ୍” (ଯେକୌଣସି ଡୋପିଂରୁ ଦୂରରେ) ରହିଆସିଛନ୍ତି । ସଦ୍ୟତମ ମାମଲା “ଅଜାଣତରେ ନିଷିଦ୍ଧ ଡ୍ରଗ୍ସ ସେବନ”ରୁ ହୋଇଛି । ଆମେ ବାସନ୍ଦାଦେଶ ବିରୋଧରେ ଆବେଦନ କରିବୁ।

ଦୂତୀ ଚାନ୍ଦ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାର ୧୦୦ ମିଟର ଏବଂ ୨୦୦ ମିଟର ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ଏହାଛଡ଼ା ୨୦୨୧ରୁ ତାଙ୍କ ନାଁରେ ୧୦୦ ମିଟରରେ ଜାତୀୟ ରେକର୍ଡ (୧୧.୧୭ ସେକେଣ୍ଡ) ରହିଛି ।

Comments are closed.