ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ:ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ଅପରାହ୍ନରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିପାରନ୍ତି। ଚଳିତ ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦେଶରେ କରୋନା ପୁଣି ଭୟଙ୍କର ରୂପ ଦେଖାଉଥିବା ବେଳେ ଏହି ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଉଛି ।

ଉତ୍ତର ପ୍ରଦେଶରେ ୪୦୩ଟି ଆସନରେ ମତଦାନ ହେବାକୁ ଥିବା ବେଳେ ଗୋଆରେ ୪୦ଟି ଆସନ ପାଇଁ ନିର୍ବାଚନ ହେବ। ପଞ୍ଜାବରେ ୧୧୭ ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଉତ୍ତରାଖଣ୍ଡରେ ୭୦ ଟି ବିଧାନସଭା ଆସନ ଓ ମଣିପୁରରେ ୬୦ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ। ଏହି ତାରିଖ ଘୋଷଣା ସହିତ ଏହି ସମସ୍ତ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବ।

ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଗତ କିଛି ଦିନ ହେବ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନିରନ୍ତର ବୈଠକ କରିଆସୁଛନ୍ତି। ବୈଠକରେ କରୋନା କାଳରେ କିପରି ନିର୍ବାଚନ ଅନୁଷ୍ଠିତ ହେବ ସେନେଇ ଆଲୋଚନା କରାଯାଇଥିଲା।

ଏହି ବୈଠକରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ କରୋନାର ସ୍ଥିତି, ଟିକାକରଣ ଆକଳନ ଏବଂ ଅନ୍ୟାନ୍ୟ ସୂଚନା ତଥା ଆଇସିଏମ୍ଆର୍ ଏବଂ ଏମ୍ସର ନିର୍ଦ୍ଦେଶକଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ନେଇଥିଲେ। ଏହା ସହିତ ଗୃହ ମନ୍ତ୍ରଣାଳୟର ଅଧିକାରୀ ଏବଂ ପାରାମିଲିଟାରୀ କର୍ମଚାରୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି ।

Comments are closed.