ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ୭ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର‌ ବଡ଼ କାର୍ଯ୍ୟାନୁଷ୍ଠାନ। ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକଲିନଙ୍କ ୭.୨୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏଥିରେ ତାଙ୍କର ୭ କୋଟି ଫିକ୍ସଡ୍ ଡିପୋଜିଟ୍ ରହିଛି |

ଇଡିର ସୂଚନା ଅନୁଯାୟୀ, ଠକ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ୫.୭୧ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଥିଲା। ଜ୍ୟାକଲିନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସୁକେଶ ମହଙ୍ଗା ଉପହାର ଦେଇଥିଲା। ପରିବାରକୁ ଦିଆଯାଇଥିବା ଉପହାରରେ ଏକ କାର, ମହଙ୍ଗା ଜିନିଷ ଏବଂ ଟଙ୍କା ସାମିଲ ରହିଛି | ଜ୍ୟାକଲିନ ଦୀର୍ଘ ସମୟ ଧରି ଇଡି ରାଡାରରେ ଥିଲେ | ଠକ ସୁକେଶ ଚନ୍ଦ୍ରଶେଖର ସହ ତାଙ୍କର କିଛି ଅନ୍ତରଙ୍ଗ ଫଟୋ ଭାଇରାଲ ହେବା ପରଠାରୁ ଜ୍ୟାକଲିନଙ୍କ ନାମ ବିବାଦରେ ଛନ୍ଦି ହୋଇପଡ଼ିଥିଲା ।
ଦିଲ୍ଲୀ ଜେଲରେ ଥିବା ସମୟରେ ସୁକେଶ ଜଣେ ମହିଳାଙ୍କଠାରୁ ୨୦୦ କୋଟି ଟଙ୍କା ଠକି ନେଇଥିଲେ। ତା’ପରେ ସୁକେଶ ସେହି ସମାନ ଚୋରି ଅର୍ଥରୁ ଜ୍ୟାକଲିନଙ୍କୁ ବହୁକୋଟି ମୂଲ୍ୟର ଦାମୀ ଉପହାର ଦେଇଥିଲେ | ଏଥିମଧ୍ୟରେ ହୀରା, ଅଳଙ୍କାର, ୫୨ ଲକ୍ଷର ଘୋଡା ଭଳି ମହଙ୍ଗା ଉପହାର ଥିଲା | ଜ୍ୟାକଲିନଙ୍କ ବିରୋଧରେ ସମ୍ପ୍ରତି ଇଡିର ଏହା ହେଉଛି ପ୍ରାରମ୍ଭିକ କାର୍ଯ୍ୟନୁଷ୍ଠାନ। ଏହି ମାମଲାରେ ଜ୍ୟାକଲିନଙ୍କ ଅଡ଼ୁଆ ଆହୁରି ବଢ଼ିପାରେ | ଇଡି ଜ୍ୟାକଲିନଙ୍କ ଆହୁରି ଅଧିକ ସମ୍ପତ୍ତି ଜବତ କରିପାରେ |

ଗତ ଏକ ବର୍ଷ ଧରି ଇଡି ଏହି ମାମଲାର ଯାଞ୍ଚ କରୁଛି। ଏହି ମାମଲାରେ ଇଡି ଅନେକ ଥର ଜ୍ୟାକଲିନଙ୍କୁ ଜେରା କରିଥିଲା।

Comments are closed.